ପ୍ରସାଦ ନାଁରେ କ୍ଷୀରରେ ନିଶାଦ୍ରବ୍ୟ ମିଶାଇ ଖାଇବାକୁ ଦେଉଥିଲା ବାବା; ତା’ପରେ କରୁଥିଲେ…
ଆଧ୍ୟାତ୍ମିକ ମାର୍ଗକୁ ଆସିବା ପରେ ଅଭିଷେକ ମିଶ୍ର ନିଜର ନାଁ ବଦଳାଇ ରଖିଥିଲେ ଆଦିକର୍ତ୍ତା ନାରାୟଣ ଦାସ
ମଥୁରା: ପ୍ରସାଦ ନାଁରେ କ୍ଷୀରରେ ନିଶା ମିଶାଇ ମହିଳାଙ୍କୁ ଖାଇବାକୁ ଦେବା ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଓଡ଼ିଆ ଆଇଆଇଟିଆନ୍ ବାବା । ତାଙ୍କ ନାଁ ହେଉଛି ଅଭିଷେକ ମିଶ୍ର ଓରଫ ଆଦିକର୍ତ୍ତା ନାରାୟଣ ଦାସ । ଉତ୍ତରପ୍ରଦେଶର ମଥୁରା ପୋଲିସ ତାଙ୍କୁ ଗିରଫ କରିଛି ।
ଆଇଆଇଟି ରୁର୍କୀରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ ଓଡ଼ିଶାର ଅଭିଷେକ ମିଶ୍ର । ପରେ ସେ ଏକ କର୍ପୋରେଟ୍ ସଂସ୍ଥାରେ ୪ ବର୍ଷ ଧରି ଚାକିରି କରିଥିଲେ । ସେହି ସମୟରେ ମାୟା ମୋହ ଛାଡ଼ି ଆଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପରିକି ଚାକିରି ଛାଡ଼ି ମଥୁରା ରାଧା କୁଣ୍ଡରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
ଆଧ୍ୟାତ୍ମିକ ମାର୍ଗକୁ ଆସିବା ପରେ ଅଭିଷେକ ମିଶ୍ର ନିଜର ନାଁ ବଦଳାଇ ରଖିଥିଲେ ଆଦିକର୍ତ୍ତା ନାରାୟଣ ଦାସ । ଆଉ ପ୍ରତିଦିନ ‘ରାଧା କୃପା ଅମୃତ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ପ୍ରବଚନ ଦେଉଥିଲେ । ସେ ସୋସିଆଲ ମିଡିଆ ଓ ଧାର୍ମିକ କାର୍ୟ୍ୟକଳାପ ମାଧ୍ୟମରେ ଶିକ୍ଷିତ ଯୁବତୀ, ବିଶେଷ କରି ମହିଳା ଇଞ୍ଜିନିୟରିଂ ସ୍ନାତକମାନଙ୍କୁ ଟାର୍ଗେଟ୍ କରୁଥିଲେ ବୋଲି ପୋଲିସ କହିଛି ।
ପୋଲିସର ଅଭିଯୋଗ ଅନୁଯାୟୀ, ଆଦିକର୍ତ୍ତା ନାରାୟଣ ଦାସ ହିନ୍ଦୀ ଓ ଇଂରାଜୀରେ ପ୍ରବଚନ ଦେଉଥିଲେ । ତାଙ୍କର ପ୍ରବଚନ ଶୁଣିବା ପାଇଁ ବିଶେଷ କରି ମହିଳା ଓ ଯୁବତୀଙ୍କ ଭିତରେ ବଢ଼ୁଥିଲା ଆଗ୍ରହ । ସେ ନିଜ ପ୍ରବଚନରେ ବିବାହ ନକରିବା ପାଇଁ ଯୁବତୀଙ୍କୁ ପ୍ରବର୍ତ୍ତାଉଥିଲେ । ସେହି ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ଛତିଶଗଡ଼ ଜଣେ ନର୍ସିଂ ଛାତ୍ରୀ । ଅଭିଯୋଗ ହେଉଛି ବାବା ଆଦିକର୍ତ୍ତା ନାରାୟଣ ଦାସ ପ୍ରସାଦ ଭାବେ ଦେଇଥିବା କ୍ଷୀରରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଖାଇବାକୁ ଦେଇଥିଲେ । ଯୁବତୀ ଜଣକ ଖାଇବା ପରେ ନିଜର ସଜ୍ଞା ହରାଇଥିଲେ । ଏହାର ସୁଯୋଗ ନେଇ ବାବା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କୁ ବ୍ଲକ୍ମେଲିଂ କରୁଥିଲେ ।
ଯୁବତୀ ଜଣକ ଏନେଇ ମଥୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ବାବା ଆଦିକର୍ତ୍ତା ନାରାୟଣ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏବେ ତାଙ୍କର ପୃଷ୍ଠଭୂମିର ତଦନ୍ତ କରୁଛି । ଏଥିରେ ଆହୁରି ଅନେକ ମହିଳା ଶିକାର ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି।
