ଘରକୁ ଫେରିବା ପାଇଁ ଜାରୀ କଲେ ଭିଡ଼ିଓ; ବଖାଣିଲେ ଦୁଃଖ ଓ ଯନ୍ତ୍ରଣା
ଉଦ୍ଧାର ପାଇଁ ଶ୍ରମିକମାନେ ଭିଡ଼ିଓ ବାର୍ତ୍ତାରେ ଓଡ଼ିଶା ଓ ଉତ୍ତରପ୍ରଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି
ଭୁବନେଶ୍ୱର: ଗାଁରେ କାମ ମିଳିଲା ନାହିଁ! ପରିବାର ଚଳାଇବା କଷ୍ଟକର ହେଲା। ତେଣୁ ଦେଶ ବାହାରକୁ ଯାଇଥିଲେ। ହେଲେ ଧୋକା ଦେଲା ଠିକା ସଂସ୍ଥା। ଚାକିରି ଲୋଭ ଦେଖାଇ ଥାଇଲାଣ୍ଡ ନେଇ ଫସାଇଦେଲା। ଏବେ ଜୀବନବିକଳରେ ଘରକୁ ଫେରିବା ପାଇଁ ଜାରୀ କରିଛନ୍ତି ଭିଡିଓ ବାର୍ତ୍ତା। ଆଉ ବଖାଣିଛନ୍ତି ଦୁଃଖ ଓ ଯନ୍ତ୍ରଣା।
କେନ୍ଦ୍ରାପଡ଼ା ଜିଲ୍ଲା ଗୋବାଙ୍ଗର ଖିରୋଦ ଦାସ, ପୋଇଝରିଆ ଗାଁର ମନୋଜ ମଲ୍ଲିକ, ନହୁନିର କୈଳାସ ସେଠୀ ଓ ପଦ୍ମପାଳର ନିତ୍ୟାନନ୍ଦ ମଲ୍ଲିକଙ୍କ ସମେତ ଉତ୍ତର ପ୍ରଦେଶ ଗୋରଖପୁରର ରାଜ କୁମାର ପାସୀ ପ୍ରମୁଖ ପେଟପାଟଣା ପାଇଁ ଥାଇଲାଣ୍ଡ ଯାଇଥିଲେ। ସେମାନଙ୍କୁ କାବିନ ବୁରି ଜିଲ୍ଲାର ଏକ କାରଖାନାରେ ଚାକିରି ମିଳିବ ବୋଲି କୁହାଯାଇଥିଲା। ସେମାନେ ସେଠାରେ ପହଞ୍ଚିବା ପରେ ନିଯୁକ୍ତି ଦେଇଥିବା ଠିକା ସଂସ୍ଥ ସେମାନଙ୍କଠାରୁ ପାସପୋର୍ଟ ଛଡ଼ାଇ ନେଇଥିଲା।
ତା’ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଗତ ୪ ମାସ ହେଲା କାରଖାନାରେ ଶ୍ରମିକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଖାଇବାକୁ ଦିଆଯାଉନି। ଦରମା ମାଗିଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଯାହାଫଳରେ ଗତ ଚାରି ମାସ ହେଲା ବିନା ଦରମା ପଣବନ୍ଦୀ ଭଳିଆ ଜୀବନ ଅତିବାହିତ କରୁଛନ୍ତି। କାରଖାନା ମାଲିକ ପାସପୋର୍ଟ ନେଇ ଯାଇଥିବାରୁ ଭାରତ ଫେରିପାରୁ ନାହିଁ।
ବନ୍ଦୀ ଥିବା ଜଣେ ଶ୍ରମିକ କହିଛନ୍ତି; କମ୍ପାନୀ ମାଲିକ ମୋ ପାସପୋର୍ଟ ଛଡ଼ାଇ ନେଇଛନ୍ତି। ମୁଁ ମାଗିଲେ, ମାରିଦେବାକୁ ଧମକ ଦେଉଛନ୍ତି। ଏପରିକି ପୋଲିସ ହାତରେ ଟେକିଦେବାକୁ ଧମକ ଦିଆଯାଉଛି ବୋଲି ଶ୍ରମିକ ଜଣକ କହିଛନ୍ତି।
ଅନ୍ୟ ଜଣେ ଶ୍ରମିକ କହିଛନ୍ତି, କ୍ରମାଗତ ଭାବେ କାମ କରୁଥିଲେ ମଧ୍ୟ ମାସ ମାସ ଧରି ଦରମା ମିଳୁନାହିଁ। ଯେଉଁଥିପାଇଁ ଖାଇବାକୁ ଖାଦ୍ୟ ପାଉନୁ। ବିନା ଖାଦ୍ୟରେ ବଞ୍ଚିବା କଷ୍ଟକର ହେଉଛି ବୋଲି ଶ୍ରମିକମାନେ କହିଛନ୍ତି।
ଉଦ୍ଧାର ପାଇଁ ଶ୍ରମିକମାନେ ଭିଡ଼ିଓ ବାର୍ତ୍ତାରେ ଓଡ଼ିଶା ଓ ଉତ୍ତରପ୍ରଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଯଥାଶୀଘ୍ର ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ପରିବାର ଲୋକ ନିବେଦନ କରିଛନ୍ତି।

