fbpx

‘ଓଡ଼ିଶା ଭାସ୍କର’ର କେନ୍ଦୁଝର ଜିଲ୍ଲା ପ୍ରତିନିଧି ଧୀରେନ୍ଦ୍ର ରାଉତଙ୍କ ପରଲୋକ

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

  •  ‘ଓଡ଼ିଶା ଭାସ୍କର’ ପକ୍ଷରୁ ଦିବଙ୍ଗତ ଆତ୍ମା ପ୍ରତି ଜଣାଗଲା ଶ୍ରଦ୍ଧାଞ୍ଜଳି
  • ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା

କେନ୍ଦୁଝର/ଭୁବନେଶ୍ୱର, ୧୮ା୧୦(ଆପ୍ର): କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଭାସ୍କରର ଜିଲ୍ଲା ପ୍ରତିନିଧି ଧୀରେନ୍ଦ୍ର ରାଉତଙ୍କ ୬୫ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଗତ ସେପ୍ଟେମ୍ବର ୧ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ସେ ପ୍ରଥମେ କେନ୍ଦୁଝର ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ ପରେ ଭୁବନେଶ୍ୱରର କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବାପରେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲେ । ତେବେ ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ବୃଦ୍ଧି ପାଇବାରୁ ତାଙ୍କୁ ପୁର୍ନବାର କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠରେ ସେ ରବିବାର ସକାଳ ୮ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତଃ ରାଉତ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ‘ଓଡ଼ିଶା ଭାସ୍କର’ ସହ ଜଡ଼ିତ ଥିଲେ । ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ସେ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିବା ସହ କୋଭିଡ୍ ସମୟରେ କରୋନା ଯୋଦ୍ଧା ସାଜି ନିର୍ଭିକ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦାନ କରିଥିଲେ । ସାମ୍ବାଦିକତା ସହ ସମାଜସେବାରେ ସେ ନିଜକୁ ନିୟୋଜିତ କରିଥିଲେ । କେନ୍ଦୁଝର ଜିଲ୍ଲା ପ୍ରଗତିଶୀଳ ନାଗରିକ ମଞ୍ଚର ସଭାପତି, କ୍ୟାସେଣ୍ଡ୍ରା ସାଂସ୍କୃତିକ ସଂଘ ସଭାପତି, ଜିଲ୍ଲା ସମବାୟ ସଂଘର ସଭାପତି, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି, କେନ୍ଦୁଝର ଆଇନ ମହାବିଦ୍ୟାଳୟର ସଭାପତି ଭାବେ ସେ ଅନେକ ସଙ୍ଗଠନ ସହ ଜଡ଼ିତ ଥିବାବେଳେ ବହୁ ସମାଜିକ ଓ ସାଂସ୍କୃତିକ ସଙ୍ଗଠନର ଆୟୋଜକ ମଧ୍ୟ ରହିଥିଲେ । ରାଜ୍ୟ ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ସେ ଅନେକ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ କରୁଥବା ସ୍ୱର୍ଗତଃ ରାଉତ ଗରିବ ଓ ନିଷ୍ପେସିତ ଲୋକଙ୍କ ପାଇଁ ସର୍ବଦା କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ କେନ୍ଦୁଝର ଜିଲ୍ଲାର ସାମ୍ବାଦିକ, ବୁଦ୍ଧିଜୀବୀ, କଳାକାର, ଆଇନଜୀବୀ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ପୁତ୍ର ଅଭିନାଶ ରାଉତ ଉପସ୍ଥିତ ଥିଲେ । ସ୍ୱର୍ଗତଃ ରାଉତଙ୍କ ବିୟୋଗରେ ‘ଓଡ଼ିଶା ଭାସ୍କର’ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ‘ଓଡ଼ିଶା ଭାସ୍କର’ର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି ଏହି ସଭାରେ ଅଧ୍ୟକ୍ଷତା କରି ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି ଅବସରରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ‘ଓଡ଼ିଶା ଭାସ୍କର’ ପକ୍ଷରୁ ସ୍ୱର୍ଗତ ରାଉତଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଘୋଷଣା କରିଥିଲେ । ଏହି ଅବସରରେ ୨ଜଣ ପୂର୍ବତନ କର୍ମଚାରୀ ସ୍ୱର୍ଗତଃ ପ୍ରମୋଦ କୁମାର ଦୀକ୍ଷିତ୍ ଓ ବିଷ୍ଣୁ ପାଇକରାୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ‘ଓଡ଼ିଶା ଭାସ୍କର’ର ବ୍ୟୁରୋ ଚିଫ୍ କୌସ୍ତୁଭ ଦାସଙ୍କ ସମେତ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.