fbpx

‘ଓଡ଼ିଶା ଭାସ୍କର’ର ପ୍ରଭାବ: ଦିବ୍ୟାଙ୍ଗ ମହିଳାଙ୍କୁ ମିଳିଲା ଉତ୍ତମ ଚିକିତ୍ସା ସେବା, ଆଣ୍ଠୁରେ ବଢ଼ୁଥିବା ମାଂସ ପିଣ୍ଡୁଳାକୁ ଅଲଗା କରାଗଲା

ଲାଞ୍ଜିଗଡ଼, (ଭାସ୍କର ନ୍ୟୁଜ୍‌): ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଖବର ପ୍ରସାରଣ ଦ୍ୱାରା ତାଙ୍କ ଆଣ୍ଠୁରେ ବଢୁଥିବା ମାଂସ ପିଣ୍ଡୁଳାର ସଠିକ୍‌ ଅପରେସନ ସମ୍ଭବ ହୋଇପାରିଛି । ଯେଉଁ ହସ୍ପିଟାଲରୁ ଦିନେ ନିରାଶ ହୋଇ ଫେରିଥିଲେ ସେଇ ହସ୍ପିଟାଲର ଜଣେ ଡାକ୍ତର ଦେବଦୂତ ସାଜି ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ସଫଳତାର ସହିତ ଅପରେସନ ପରେ ଏବେ ମହିଳା ଜଣକ ସୁସ୍ଥ ଅନୁଭବ କରୁଥିବାବେଳେ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି । ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ପଲସାପଡା ଗାଁର ଜଣେ ନିରାଶ୍ରୟ ଦିବ୍ୟାଙ୍ଗ ମହିଳାଙ୍କ ଚିକିତ୍ସାସେବା ମିଳିବାରେ ସହାୟକ ହୋଇଛି ‘ଓଡିଶା ଭାସ୍କର’ ।

ପଲସାପଡା ଗାଁର ଦିବ୍ୟାଙ୍ଗ ମହିଳା ସାରାବନୀ ଗଉଡଙ୍କ ସଂପର୍କରେ ଆମେ ଓଡ଼ିଶା ଭାସ୍କରରେ ଖବର କାଗଜରେ ଖବର ପ୍ରକାଶ କରିଥିଲୁ । ଖବର ପ୍ରକାଶ ପରେ ଏହି ଖବରଟି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରୀ ବିଶେଷଜ୍ଞ ଭାବେ ଯୋଗଦେଇ କମ୍‌ ଦିନ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ଡାକ୍ତର ସୁନୀଲ କରଙ୍କ ନଜରରେ ପଡିଥିଲା । କଳାହାଣ୍ଡି ଜିଲ୍ଲା ଓ କଳାହାଣ୍ଡିଆଙ୍କୁ ଗଭୀର ଭାବେ ଭଲ ପାଉଥିବା ଡାକ୍ତର କର ମହିଳାଙ୍କ ଚିକିତ୍ସା ଓ ଅପରେସନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ସାମ୍ବାଦିକ ତଥା ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ ।

ଏହାପରେ ଶ୍ରୀ ବାଗ, ଡାକ୍ତରଙ୍କ ସହିତ ଯୋଗାଯୋଗ ରକ୍ଷା କରି ପଲସାପଡାର ଜଣେ ସମାଜସେବୀ କିଶୋର ପୁରୋହିତଙ୍କ ସହଯୋଗରେ ସାରାବନୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ରୋଗୀଙ୍କୁ ଦେଖିବା ପରେ ଡାକ୍ତର କର କିଛି ଆବଶ୍ୟକ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ବାଗ ନିଜେ ଉପସ୍ଥିତ ରହି ଏସବୁରେ ସହଯୋଗ କରିଥିଲେ । ପରୀକ୍ଷା ରିପୋର୍ଟ ସବୁ ଆସିବା ପରେ ଡାକ୍ତର କରଙ୍କ ଏକ ସ୍ୱତନ୍ତ୍ର ଟିମ୍‌ ସାରାବାନୀଙ୍କ ଅପରେସନ କରିବା ସହିତ ତାଙ୍କ ଆଣ୍ଠୁରେ ବଢୁଥିବା ପ୍ରାୟ ଏକ କିଲୋଗ୍ରାମ ଓଜନର ମାଂସ ପିଣ୍ଡୁଳାକୁ ଅଲଗା କରି ଦେଇଛନ୍ତି । ଡାକ୍ତର କରଙ୍କ ସହିତ ନିଶ୍ଚେତକ ବିଶେଷଜ୍ଞ ମାନସୀ ପ୍ରଧାନ, ନର୍ସ ସୁନେଲୀ ତାଣ୍ଡି, ଅପରେସନ ଥିଏଟର ସହାୟକ ଚନ୍ଦ୍ରଶେଖର ପଣ୍ଡା, ଅନୀତା ପ୍ରମୁଖ ସାମିଲ ଥିଲେ । ଅପରେସନ ସଂପୂର୍ଣ୍ଣ ସଫଳ ହୋଇଥିବାବେଳେ ମହିଳାଙ୍କୁ କିଛି ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯିବ ବୋଲି ଜଣାପଡିଛି । ସଫଳତାର ସହ ଅପରେସନ ଶେଷ ହେବା ପରେ ସାରାବନୀ ଡାକ୍ତର କର ଓ ତାଙ୍କ ଟିମ୍‌ ସମେତ ଓଡିଶା ଭାସ୍କରକୁ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.