fbpx

ଆରମ୍ଭ ହେଲା ବିଜେପି କାର୍ଯ୍ୟକାରିଣୀ ବୈଠକ: ‘ବିଜେଡି ମୁକ୍ତ ଓଡ଼ିଶା’ ନାରା ଦେଲେ ନେତା

ଭୁବନେଶ୍ୱର: ”ବିଜେଡି ମୁକ୍ତ ଓଡ଼ିଶା ବିଜେପି ଲକ୍ଷ୍ୟ”। ଶନିବାର ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଏହି ନାରା ସହିତ ନେତାମାନେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ରାଜ୍ୟରୁ ମୂଳପୋଛ କରିବାକୁ ଯୋଜନା କରୁଛନ୍ତି। ଏହି ବୈଠକରେ ଦଳର ଆଗାମୀ ଏଜେଣ୍ଡା ବିଷୟରେ ଆଲୋଚନା ହେଉଛି। ଆଗାମୀ ଦିନରେ ଓଡ଼ିଶାରେ କୋଟିଏ ପରିବାର ପାଖରେ ଦଳ ପହଞ୍ଚିବ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

କେନ୍ଦ୍ରରେ ମୋଦୀ ସରକାର ପକ୍କା ଘର, ପିଇବା ପାଣି, ରୋଜଗାର ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଓଡ଼ିଶାରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଅନ୍ୟପରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଥିବା ବେଳେ ମହିଳା ନିର୍ଯାତନାରେ ଓଡ଼ିଶା ଏକ ନମ୍ବର ଆଡକୁ ଗତି କରୁଛି। ସେହିଭଳି ମହାନଦୀ ପ୍ରସଙ୍ଗରେ ବ୍ୟାକ୍‌ଫୁଟ୍‌ରେ ଓଡ଼ିଶା ସରକାର ଥିବା ବେଳେ ରତ୍ନଭଣ୍ଡାର ଚାବି ହଜିବା, ଫାଇଲ୍ ଚୋରି ହେବା ଭଳି ଘଟଣା ଘଟୁଛି। ଏହାରି ମଧ୍ୟରେ ସବୁଠୁ ବଡ଼ କଥା ହେଉଛି ଏସବୁ ଘଟଣାର ଉତ୍ତର ଦେବାକୁ କେହି ନାହାନ୍ତି। ତେଣୁକରି ରାଜ୍ୟରେ ସରକାର କିଏ ଚଳାଉଛି ତାହା ଜଣାପଡୁ ନାହିଁ। ତେବେ ରାଜ୍ୟରେ ସରକାର ବିକାଶ କରୁଥିବା କଥା କହୁଥିଵା ବେଳେ ରାଜ୍ୟରେ ବେରୋଜଗାରୀ, ଶିଶୁ ଅପପୁଷ୍ଟି ବଢ଼ିଛି, ଶିକ୍ଷା ମଧ୍ୟ ଅବହେଳିତ ହୋଇଥିବା ସେ କହିଛନ୍ତି। ସେହିପରି 5T ନାଁରେ ସ୍କୁଲରେ ରଙ୍ଗ ବୋଳା ହେଉଛି, ଗୁଣାତ୍ମକ ଶିକ୍ଷା ମିଳୁନାହିଁ।

ଏହି ସବୁ ପ୍ରମୁଖ ପ୍ରସଙ୍ଗ ନେଇ ବିଜେପି ଓଡ଼ିଶାର ଘରେ ଘରେ ୧ କୋଟି ପରିବାର ପାଖରେ ପହଞ୍ଚିବ। ଏହି ଅଭିଯାନରେ କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତା ଲୋକଙ୍କ ପାଖରେ ଦଳର ନେତାମାନେ ବଖାଣିବେ ଏବଂ ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପି ଆଗକୁ ଯିବ ବୋଲି ସୂଚନା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ମନମୋହନ ସାମଲ ଓଡ଼ିଶା ପ୍ରଦେଶର ମୁଖିଆ ହେବା ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

Get real time updates directly on you device, subscribe now.