ସରିଲା ସର୍ବଦଳୀୟ ବୈଠକ, ମଙ୍ଗଳବାରଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ ୨୦୨୬
ମଙ୍ଗଳବାରଠାରୁ ଆରମ୍ଭ ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ ୨୦୨୬
ଭୁବନେଶ୍ୱର: ଶେଷ ହେଲା ବାଚସ୍ପତି ସୁରମା ପାଢି଼ଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ସମାପ୍ତ ହେବା ପରେ ଆସନ୍ତା ମଙ୍ଗଳବାରଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ୨୦୨୬ ଆରମ୍ଭ ହେବ। ଏହି ଅଧିବେଶନ ମୋଟ ୨୯ ଦିନ ଧରି ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୦ ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ।
ଅଧିବେଶନ ପୂର୍ବରୁ ରାଜନୀତିକ ତାପମାତ୍ରା ବଢ଼ିଛି। ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ବିଭିନ୍ନ ପ୍ରସଙ୍ଗରେ ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି।
ଧାନ ମଣ୍ଡି ପ୍ରସଙ୍ଗରେ ତୀବ୍ର ତର୍କ ସମ୍ଭାବନା
ଏଥର ବଜେଟ୍ ଅଧିବେଶନରେ ଧାନ କିଣାକୁ ନେଇ ଆଲୋଚନା ହେବା ଏକପ୍ରକାର ନିଶ୍ଚିତ। ରାଜ୍ୟର ବିଭିନ୍ନ ସ୍ଥାନରୁ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆସୁଛି। ଅନେକ ସ୍ଥାନରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ବିରୋଧୀ ଦଳ ଏହାକୁ ବଡ଼ ପ୍ରସଙ୍ଗ କରିଛନ୍ତି। ସରକାରଙ୍କ ୧୫୦ କ୍ୱିଣ୍ଟାଲ୍ ସୀମା ନିୟମକୁ ନେଇ ପଶ୍ଚିମ ଓଡ଼ିଶାର ବିଧାୟକମାନଙ୍କ ଅସନ୍ତୋଷ ମଧ୍ୟ ଦେଖାଯାଉଛି।
ମହାନଦୀ ଜଳ ବିବାଦ ଉପରେ ମୁହାଁମୁହିଁ
ମହାନଦୀ ଜଳ ବିବାଦ ମଧ୍ୟ ଏଥର ଗୃହରେ ଗୁରୁତ୍ୱ ପାଇବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧାନ ଆଗକୁ ବଢ଼ିପାରୁନି। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ରାଜନୀତିକ ଆକ୍ରମଣ-ପ୍ରତ୍ୟାକ୍ରମଣ ହେବା ସମ୍ଭାବନା ରହିଛି । ସେହିପରି କଂଗ୍ରେସ ମଧ୍ୟ ବଡ଼ ଦାବି ଉଠାଇପାରେ ।
ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବେ ବିରୋଧୀ
ମୋଟରଯାନ ପ୍ରଦୂଷଣ ପ୍ରମାଣପତ୍ର (PUCC), ଆଇନଶୃଙ୍ଖଳା, ଏବଂ SIR ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ରଣନୀତି ତିଆରି କରିଛନ୍ତି। ସେପଟେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତ ଅଛି।
ସର୍ବଦଳୀୟ ବୈଠକରେ ଆଲୋଚନା
ବଜେଟ୍ ଅଧିବେଶନକୁ ସୁଚାରୁ ଭାବେ ଚାଲାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଥିଲେ। ବୈଠକରେ ଗୃହକୁ ଶାନ୍ତିପୂର୍ଣ୍ଣ ଭାବେ ଚାଲାଇବା ଉପରେ ଜୋର ଦିଆଯାଇଥିଲା।
କଡାକଡି ସୁରକ୍ଷା ବ୍ୟବସ୍ଥା
ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସଭା ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୨୦ ପ୍ଲାଟୁନ୍ ପୁଲିସ ନିଯୁକ୍ତ ହେବେ। ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ ସହିତ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା ମଧ୍ୟ ମଜବୁତ କରାଯାଇଛି। ଗାନ୍ଧୀମାର୍ଗରେ ଏଆଇ କ୍ୟାମେରା ମାଧ୍ୟମରେ ନଜର ରଖାଯିବ। ଏଥର ବଜେଟ୍ ଅଧିବେଶନ ରାଜନୀତିକ ତର୍କ, ଚାଷୀ ସମସ୍ୟା ଓ ଜଳ ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେନ୍ଦ୍ର କରି ତୀବ୍ର ହେବା ଆଶା କରାଯାଉଛି।
