ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି, ୭ ବିଭାଗର ୧୩ ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଆଜି ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୪୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର କନଫରେନ୍ସ ହଲ୍‌ରେ ରାଜ୍ୟ ମନ୍ତ୍ରିମଣ୍ଡଳର ୪୪ତମ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ଶେଷ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକମାନଙ୍କୁ ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ବୈଠକରେ ୭ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ ଅନୁମୋଦନ କରାଯାଇଛି।

ତାଙ୍କ କହିବା ଅନୁସାରେ, ଜଳସମ୍ପଦ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜସ୍ୱ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ମନ୍ତ୍ରିମଣ୍ଡଳ ମଞ୍ଜୁର କରିଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ପ୍ରସ୍ତାବ ମଧ୍ୟ ଅନୁମୋଦନ ପାଇଛି।

ରାଜ୍ୟରେ ସଡ଼କ ସଂଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ମନ୍ତ୍ରିମଣ୍ଡଳ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) କନେକ୍ଟିଂ ମିସିଂ ରୋଡ୍ ଲିଙ୍କ୍ସ (ସିଏମ୍‌ଆର୍‌ଏଲ୍‌)’ ଯୋଜନାକୁ ଅନୁମୋଦନ କରିଛି।

Uttarakhand Govt.

ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି କାର୍ଯ୍ୟକାରୀ କରାଯିବ। ଏଥିପାଇଁ ସରକାର ୧,୯୧୭ କୋଟି ଟଙ୍କା ବ୍ୟୟ କରିବେ। ଏହି ଯୋଜନାରେ ପ୍ରାୟ ୩,୮୫୦ କିଲୋମିଟର ସଡ଼କ ନିର୍ମାଣ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସମ୍ପୂର୍ଣ୍ଣ ସଡ଼କ ସଂଯୋଗକୁ ପୂରଣ କରାଯିବ।

ମନ୍ତ୍ରିମଣ୍ଡଳ ଏହି ଯୋଜନା ଅଧୀନରେ ଚାଲିଥିବା ସମସ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ସହିତ, ଯେଉଁଠି ଆବଶ୍ୟକ ସେଠାରେ ସଂଯୋଗକାରୀ ପୋଲ ଏବଂ ଛୋଟ କ୍ରସ୍ ଡ୍ରେନେଜ୍ (ସିଡି) ନିର୍ମାଣ ପାଇଁ ମଧ୍ୟ ଅନୁମୋଦନ ଦେଇଛି, ଯାହାଦ୍ୱାରା ନିରବଚ୍ଛିନ୍ନ ସଡ଼କ ସଂଯୋଗ ସୁନିଶ୍ଚିତ ହେବ।

ଏହି ଯୋଜନାର ଲକ୍ଷ୍ୟ ହେଉଛି ବ୍ଲକ୍‌, ଜିଲ୍ଲା ଏବଂ ଅନ୍ୟ ରାଜ୍ୟ ସହ ସଡ଼କ ସଂଯୋଗକୁ ଆହୁରି ମଜବୁତ କରିବା। ବିଶେଷ କରି ଦୁର୍ଗମ, ସୀମାନ୍ତ ଓ ଦ୍ୱୀପାଞ୍ଚଳର ଲୋକମାନଙ୍କୁ ଉନ୍ନତ ସଡ଼କ ସୁବିଧା ଯୋଗାଇବା ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି।

ସରକାରଙ୍କ କହିବା ଅନୁସାରେ, ଏହି ଯୋଜନା ଫଳରେ ଓଡ଼ିଶାର ରାଜ୍ୟ ସଡ଼କଗୁଡ଼ିକ ପଡ଼ୋଶୀ ରାଜ୍ୟର ସଡ଼କ ନେଟୱର୍କ ସହ ସଂଯୁକ୍ତ ହେବ। ଏହାଦ୍ୱାରା ଯାତ୍ରା ଦୂରତା କମିବା ସହ ଲୋକ ଓ ସାମଗ୍ରୀ ପରିବହନ ଅଧିକ ସହଜ ହେବ।

ନୂତନ ସଡ଼କ ଭିତ୍ତିଭୂମି ଗଢ଼ିଉଠିଲେ ଲୋକମାନେ ହସ୍ପିଟାଲ, ସ୍କୁଲ, କଲେଜ, ପଞ୍ଚାୟତ କାର୍ଯ୍ୟାଳୟ, ବଜାର, ପର୍ଯ୍ୟଟନସ୍ଥଳୀ ଓ ବାଣିଜ୍ୟିକ କେନ୍ଦ୍ରକୁ ସହଜରେ ଯାତାୟାତ କରିପାରିବେ। ଏହା ସହିତ ବାଣିଜ୍ୟ, ଅର୍ଥନୈତିକ କାର୍ଯ୍ୟକଳାପ ଓ ଗ୍ରାମାଞ୍ଚଳ ଏବଂ ସୀମାନ୍ତ ଅଞ୍ଚଳର ଲୋକଙ୍କ ଜୀବନମାନରେ ମଧ୍ୟ ଉନ୍ନତି ଆସିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।