ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଭେଟି; ମହିଳାଙ୍କୁ ମିଳିବ ୬୦ହଜାର ଟଙ୍କା, ଜାଣନ୍ତୁ କେଉଁ ମାନେ କରିପାରିବେ ଆବେଦନ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାର ଏହାକୁ ଏକ ଅଭିନବ ପ୍ରୟାସ ବୋଲି ପ୍ରକାଶ କରିଛନ୍ତି।
ଆଜି ମା’ ତାରା ତାରିଣୀଙ୍କ ପୀଠରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ ୨୦୧ ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ବିବାହ ମଣ୍ଡପରେ କର୍ତ୍ତା ଭାବେ ହୋମ କୁଣ୍ଡରେ ଆହୁତି ପ୍ରଦାନ କରି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଏପରି ଏକ ଓଡିଶା ଗଢିବା ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ। ଆହୁରି ମଧ୍ୟ ଏହି ଯୋଜନା ସମାଜକୁ ଏକ ନୂତନ ବାର୍ତ୍ତା ଦେବ ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ।
କେଉଁ ମାନେ ଉଠାଇ ପାରିବେ ଲାଭ: ଏହି ଯୋଜନାରେ ସାମିଲ୍ ହେବା ପାଇଁ କନ୍ୟାର ବୟସ ୧୮ରୁ ୩୫ ବର୍ଷ ଏବଂ ବରର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ।
ଏହି ଯୋଜନାରେ ଯୋଗ୍ୟ କନ୍ୟାଙ୍କୁ ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ୪୫ ହଜାର ଟଙ୍କା ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଏବଂ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ୍ଚ କରାଯାଉଛି। ଯୋଗ୍ୟ ଦମ୍ପତ୍ତି ମାନଙ୍କୁ ଜିଲ୍ଲା/ବ୍ଲକ ସ୍ତରରୁ ଚୟନ କରାଯାଇଛି।
ଏହି ଯୋଜନା ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନଃ ବିବାହକୁ ଉତ୍ସାହିତ କରିବା, ଯୌତୁକ ପ୍ରଥାକୁ ନିବାରଣ କରିବା ଦିଗରେ ବହୁ ପରିମାଣରେ ସହାୟତା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ପୁଣି କହିଥିଲେ, ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ବଜେଟରେ ୫୯ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଛି।
