ମୌସୁମୀ ଫେରିବ ଶୀଘ୍ର, ବଢ଼ିବ ତାତି !
ଏବର୍ଷ ରାଜ୍ୟରେ ଖରାଦିନ ଆଗୁଆ ଆସିପାରେ। ମୌସୁମୀ ମଧ୍ୟ ଶୀଘ୍ର ଫେରିଯାଇପାରେ। ଏହି ସମ୍ଭାବନାକୁ ନେଇ ରାଜ୍ୟ ସରକାର ଏବେଠାରୁ ସଜାଗ ହୋଇଛନ୍ତି। ଏନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ SRC ମଧ୍ୟ ଅଧ୍ୟୟନ କରୁଛି।
ଭୁବନେଶ୍ୱର : ଏବର୍ଷ ରାଜ୍ୟରେ ଖରାଦିନ ଆଗୁଆ ଆସିପାରେ। ମୌସୁମୀ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିଯାଇପାରେ। ଏଭଳି ସମ୍ଭାବନାକୁ ନେଇ ରାଜ୍ୟ ସରକାର ଏବେଠାରୁ ସଜାଗ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହିତ ଏସ୍ଆର୍ସି ମଧ୍ୟ ଏନେଇ ଅଧ୍ୟୟନ କରୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏନେଇ ସୂଚନା ଦେଇଛନ୍ତି।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଏଲ୍ ନିନୋର ପ୍ରଭାବ ଯୋଗୁ ପାଣିପାଗରେ ବଡ଼ ପରିବର୍ତ୍ତନ ହୋଇପାରେ। ମୌସୁମୀ ଶୀଘ୍ର ଫେରିଗଲେ ଆକାଶ ସଫା ରହିବ ଏବଂ ଦିନରେ ଖରାର ପ୍ରଭାବ ବଢ଼ିବ। ଏହା ଫଳରେ ଓଡ଼ିଶାରେ ଗରମ ଶୀଘ୍ର ବଢ଼ିପାରେ। ଗୁଳୁଗୁଳି ସହ ତାପମାତ୍ରା ମଧ୍ୟ ଅଧିକ ରହିପାରେ। ଏପରିକି ତାତି ରେକର୍ଡ ମଧ୍ୟ ଭାଙ୍ଗିପାରେ ବୋଲି ଆକଳନ କରାଯାଉଛି।
ତେବେ ଏହା ଏବେ ପ୍ରାଥମିକ ଆକଳନ ମାତ୍ର। ଆଗକୁ ଅଧିକ ଅଧ୍ୟୟନ ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ। ସମ୍ଭାବ୍ୟ ଗରମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏବେର ଆକଳନକୁ ନେଇ ଲୋକେ ଭୟଭୀତ ନହେବାକୁ ରାଜସ୍ୱ ମନ୍ତ୍ରୀ ଅପିଲ୍ କରିଛନ୍ତି।
ମୌସୁମୀ ଶୀଘ୍ର ଫେରିଗଲେ ଗ୍ରୀଷ୍ମ ମଧ୍ୟ ଆଗୁଆ ଆସିପାରେ। ମୌସୁମୀ ଦୁର୍ବଳ ହେଲେ ପରିବେଶରେ ଆର୍ଦ୍ରତା କମିଯାଏ ଏବଂ ଆକାଶ ସଫା ରହେ। ଏହା ଫଳରେ ସୂର୍ଯ୍ୟଙ୍କ ତାପ ସିଧାସଳଖ ଭାବେ ପଡ଼ିଥାଏ ଏବଂ ଗରମ ବଢ଼ିଥାଏ। ଏଲ୍ ନିନୋର ପ୍ରଭାବ ଯୋଗୁ ଏଭଳି ସ୍ଥିତି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି।
ଏହାର ପ୍ରଭାବ ପରିବେଶ ସହିତ ଚାଷ ଉପରେ ମଧ୍ୟ ପଡ଼ିପାରେ। ଅଧିକ ଗରମ ଯୋଗୁ ଧାନ, ପନିପରିବା ଓ ଫୁଲ ଚାଷ ପ୍ରଭାବିତ ହୋଇପାରେ ବୋଲି ପରିବେଶ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବରେ ମରୁଡ଼ି ହେବ ବୋଲି ଆଗରୁ ଆକଳନ କରାଯାଉଥିଲା। କିନ୍ତୁ ଓଡ଼ିଶାରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଥିଲା। ଲଗାତାର ଲଘୁଚାପ ଓ ଅବପାତ ଯୋଗୁ ଦେଢ଼ ମାସରୁ ଅଧିକ ସମୟ ଧରି ବର୍ଷା ହୋଇଥିଲା ଏବଂ ଅନେକ ସ୍ଥାନରେ ବନ୍ୟା ଦେଖାଦେଇଥିଲା। ତେଣୁ ଏବେ ଖରା ଆଗୁଆ ଆସିବ କି ନାହିଁ ଏବଂ ଆସିଲେ ଗରମ କେତେ ଅଧିକ ହେବ, ତାହା ପାଣିପାଗ ବିଭାଗର ଆଗାମୀ ଆକଳନ ପରେ ହିଁ ସ୍ପଷ୍ଟ ହେବ।

