SIR କୁ ନେଇ BLOଙ୍କୁ ମରଣାତ୍ମକ ଆକ୍ରମଣ

ଓଡ଼ିଶାର ବରଗଡ଼ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ (SIR)କୁ ନେଇ ବିବାଦରୁ ଜଣେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ବରଗଡ଼: ଭୋଟର ତାଲିକା ସଂଶୋଧନ (SIR)କୁ କେନ୍ଦ୍ର କରି ବିବାଦ ଦେଖାଦେଇଛି। ଏଥିପାଇଁ ଜଣେ ବିଏଲ୍‌ଓ (BLO)ଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି।ବରଗଡ଼ ଜିଲ୍ଲାର ଏହି ଘଟଣା ରବିବାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଡ଼ ଅଙ୍କି ଗ୍ରାମରେ ଘଟିଥିବା ଜଣାପଡ଼ିଛି।

ଆକ୍ରମଣରେ ଆହତ BLOଙ୍କ ନାମ କୃପାସିନ୍ଧୁ ବରିହା। ସେ ଉକ୍ତ ଗ୍ରାମରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) କାର୍ଯ୍ୟରେ ନିୟୋଜିତ ଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ଭୋଟର ତାଲିକାରୁ କିଛି ନାମ ବାଦ୍ ଦେବା ଏବଂ ନୂଆ ନାମ ଯୋଡ଼ିବାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦରୁ ଆକ୍ରମଣ ହୋଇଥିବା କୁହାଯାଉଛି। ତେବେ ଆକ୍ରମଣର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଆକ୍ରମଣ ପରେ ଆହତ କୃପାସିନ୍ଧୁ ବରିହାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଡଭା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଏ ସମ୍ପର୍କରେ ଝାରବନ୍ଧ ବ୍ଲକ ଉନ୍ନୟନ ଅଧିକାରୀ (BDO) ପର୍ଶୁରାମ ପଣ୍ଡାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଘଟଣାର ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ।