ଖୁସିଖବର, ମୋହନ ସରକାର ଦେଲେ ଦଶହରା ଭେଟି, ଏମାନଙ୍କୁ ମିଳିବ ୧୦ ହଜାର ଟଙ୍କା
ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଦଶହରା ଭେଟି ଦେଲେ ରାଜ୍ୟ ସରକାର
ଭୁବନେଶ୍ଵର: ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଦଶହରା ଭେଟି ପ୍ରଦାନ କରି ଛଅ ମାସର ବକେୟା/ପ୍ରାପ୍ଯ ସମ୍ମାନ ରାଶି ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରିବେ।
ମୁଖ୍ୟ ଘୋଷଣା ଏବଂ ପରିମାଣ: ଏହି ସମ୍ମାନ ରାଶି ୨୦୨୬ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ (୬ ମାସର) ପ୍ରଦାନ କରାଯିବ। ପ୍ରତ୍ୟେକ ସରପଞ୍ଚଙ୍କୁ ମାସିକ ୧୦,୦୦୦ ଟଙ୍କା ହିସାବରେ ୬ ମାସ ପାଇଁ ସମୁଦାୟ ୬୦,୦୦୦ ଟଙ୍କା ମିଳିବ। ପ୍ରତ୍ୟେକ ନାଏବ ସରପଞ୍ଚଙ୍କୁ ମାସିକ ୪,୦୦୦ ଟଙ୍କା ହିସାବରେ ୬ ମାସ ପାଇଁ ମୋଟ ୨୪,୦୦୦ ଟଙ୍କା ପ୍ରଦାନ କରାଯିବ।
ଗ୍ରାମାଞ୍ଚଳରେ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସରପଞ୍ଚ ଓ ନାଏବ ସରପଞ୍ଚମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ତେଣୁ ସେମାନଙ୍କର ଏହି ଅବଦାନକୁ ସମ୍ମାନ ଜଣାଇ ଏବଂ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।


