୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ପତ୍ର ସଂପୂର୍ଣ୍ଣ ମିଥ୍ୟା ! ଦୋଷୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, "ଅର୍ଥ ବିଭାଗ ପକ୍ଷରୁ ଏଭଳି କୌଣସି ପ୍ରସ୍ତାବକୁ ଅନୁମୋଦନ କରାଯାଇ ନାହିଁ। ଭାଇରାଲ ହେଉଥିବା ସେହି ଚିଠି ମାଧ୍ୟମରେ ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ପାଇଁ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମଞ୍ଜୁରୀ ଦିଆଯାଇ ନାହିଁ।"

ଭୁବନେଶ୍ୱର, ୭ ଜୁଲାଇ: ରାଜ୍ୟରେ ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦବୀରେ ନିଯୁକ୍ତି ନେଇ ସୋସିଆଲ ମିଡିଆରେ ଏକ ନକଲି ଚିଠି ଭାଇରାଲ ହେବା ପରେ ରାଜ୍ୟ ସରକାର ମଙ୍ଗଳବାର ଦିନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ବୋଲି ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅର୍ଥ ବିଭାଗ ପକ୍ଷରୁ ଗତ ୨୪.୦୪.୨୦୨୬ ରେ ଚିଠି ସଂଖ୍ୟା ୧୦୯୧୧/F ଜାରି କରାଯାଇଥିବା ଦର୍ଶାଇ ଏକ ଜାଲ୍ ଏବଂ ମନଗଢ଼ା ଚିଠି ସୋସିଆଲ ମିଡିଆରେ ବୁଲୁଛି। ଏହି ଜାଲ୍ ଚିଠିଟି କିଛି ସମ୍ବାଦପତ୍ରରେ ମଧ୍ୟ ପ୍ରକାଶ ପାଇଛି, ଯାହାଫଳରେ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ସରକାରୀ ସୂଚନା ଅନୁସାରେ, ସେହି ଜାଲ୍ ଚିଠିରେ ମିଛରେ ଦାବି କରାଯାଇଛି ଯେ ଓସେପା (OSEPA) ଅଧୀନରେ ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ପାଇଁ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି ଏବଂ ପ୍ରତି ଶିକ୍ଷକଙ୍କୁ ମାସିକ ୨୬,୨୦୦ ଟଙ୍କା ଦରମା ମିଳିବ। ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ଚିଠିଟି ସମ୍ପୂର୍ଣ୍ଣ ରୂପେ ନକଲି, ମନଗଢ଼ା ଏବଂ ବେଆଇନ। ଅର୍ଥ ବିଭାଗ ପକ୍ଷରୁ ଏଭଳି କୌଣସି ପ୍ରସ୍ତାବକୁ ଅନୁମୋଦନ କରାଯାଇ ନାହିଁ କିମ୍ବା ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ।

ସରକାର ଚେତାବନୀ ଦେଇ କହିଛନ୍ତି ଯେ, ସୋସିଆଲ ମିଡିଆରେ ବୁଲୁଥିବା ସେହି ଚିଠିର ଦସ୍ତଖତ, ବିଷୟବସ୍ତୁ, ଚିଠି ସଂଖ୍ୟା ଏବଂ ମଞ୍ଜୁରୀ ସବୁ କିଛି ମିଛ ଏବଂ ଏହାର କୌଣସି ସରକାରୀ ମାନ୍ୟତା ନାହିଁ। ସରକାରଙ୍କ ଜାଲ୍ କାଗଜପତ୍ର ତିଆରି କରିବା ଏବଂ ତାକୁ ପ୍ରସାରଣ କରିବା ଏକ ଗୁରୁତର ଅପରାଧ। ଏହି ନକଲି ଚିଠି ତିଆରି ଏବଂ ଭାଇରାଲ କରିବା ପଛରେ ଥିବା ଦୋଷୀମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲାକୁ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କ ନଜରକୁ ଅଣାଯାଇଛି। କୌଣସି ବି ଅଯାଞ୍ଚିତ ବା ସନ୍ଦେହଜନକ ସରକାରୀ ଚିଠି ଉପରେ ବିଶ୍ୱାସ ନକରିବାକୁ କିମ୍ବା ତାକୁ ସେୟାର ନକରିବାକୁ ସରକାର ଜନସାଧାରଣ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଯେକୌଣସି ସରକାରୀ ସୂଚନା ପାଇଁ କେବଳ ସରକାରୀ ୱେବସାଇଟ୍ ବା ବିଜ୍ଞପ୍ତି ଉପରେ ହିଁ ଭରସା କରିବା ଉଚିତ।