ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, କଲେଜ ଅଧ୍ୟକ୍ଷଙ୍କୁ ମିଳିବ ମାସିକ ପ୍ରୋତ୍ସାହନ ରାଶି

ଦୁର୍ଗମ ଅଞ୍ଚଳରେ କାମ କଲେ ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଘରୋଇ କଲେଜଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଧ୍ୟାପକମାନଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି ସେମାନଙ୍କୁ ପ୍ରତି ମାସରେ ଅତିରିକ୍ତ ପ୍ରୋତ୍ସାହନ ଟଙ୍କା ମିଳିବ। କେଉଁ ଅଞ୍ଚଳରେ ସେମାନେ କାମ କରୁଛନ୍ତି, ତାହାକୁ ଦେଖି ଏହି ଟଙ୍କା ଦିଆଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରୀ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ଯେ, ଏହି ନିଷ୍ପତ୍ତି ଫଳରେ ଦୂରଦୂରାନ୍ତ ଓ ଅପହଞ୍ଚ ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଅଧ୍ୟାପକମାନେ ଆଗ୍ରହ ଦେଖାଇବେ। ଏହାଦ୍ୱାରା କଲେଜଗୁଡ଼ିକରେ ପାଠପଢ଼ା ଓ ଶିକ୍ଷାଦାନ କାମ ଠିକ୍‌ ଭାବେ ଚାଲିପାରିବ। ରାଜ୍ୟର ୪୮୮ ଓ ୬୬୨ ବର୍ଗର ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟକ୍ଷମାନେ ଏହି ସୁବିଧା ପାଇବେ। ଏହାଦ୍ୱାରା ପ୍ରାୟ ୬୪୧ଟି କଲେଜର ଅଧ୍ୟକ୍ଷ ଉପକୃତ ହେବେ।

ନିଷ୍ପତ୍ତି ଅନୁସାରେ, ନିଜ ଜିଲ୍ଲା କିମ୍ବା ବିକଶିତ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ଅଧ୍ୟକ୍ଷଙ୍କୁ ମାସକୁ ୫ ହଜାର ଟଙ୍କା ମିଳିବ। ନିଜ ଜିଲ୍ଲା ବାହାରେ ଚାକିରି କରୁଥିବା ଅଧ୍ୟକ୍ଷଙ୍କୁ ୭ ହଜାର ଟଙ୍କା ଦିଆଯିବ। ସେହିପରି ନିଜ ଜିଲ୍ଲା କିମ୍ବା ରହୁଥିବା ସ୍ଥାନଠାରୁ ୩୦୦ କିଲୋମିଟର ବା ତା’ଠାରୁ ଅଧିକ ଦୂରରେ କାମ କରୁଥିବା ଅଧ୍ୟକ୍ଷଙ୍କୁ ମାସକୁ ୯ ହଜାର ଟଙ୍କା ମିଳିବ।

ଏହାବ୍ୟତୀତ, ଭୌଗୋଳିକ ଦୃଷ୍ଟିରୁ ଦୁର୍ଗମ ଓ ଯାତାୟାତ ପାଇଁ ଅସୁବିଧା ଥିବା ଅଞ୍ଚଳରେ କାମ କରୁଥିବା ଅଧ୍ୟକ୍ଷଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। କେଉଁ ଅଞ୍ଚଳ ଦୁର୍ଗମ ଓ ଅପହଞ୍ଚ, ତାହା ଏକ କମିଟି ନିଷ୍ପତ୍ତି ନେବ।

ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଏ ସମ୍ପର୍କିତ ସରକାରୀ ବିଜ୍ଞପ୍ତି ଜାରି ହେବା ଦିନଠାରୁ ଏହି ନିଷ୍ପତ୍ତି ଲାଗୁ ହେବ।