ହାହାକାର କରୁଛି ଓଡ଼ିଶା: ଆସନ୍ତା ୩୦ ଯାଏଁ ଜଳିବ ସାରା ରାଜ୍ୟ, ପାରା ଛୁଇଁପାରେ ବିପଜ୍ଜନକ ସ୍ତର!

ଆକାଶରୁ ବର୍ଷୁଛି ନିଆଁ: ତାତିରୁ ନିସ୍ତାର ନାହିଁ, ଖରାରେ ଠିଆ ହେଲେ ବଢିପାରେ ହୃଦଘାତ ଓ ଅଂଶୁଘାତର ଆଶଙ୍କା।

ଆକାଶରୁ ବର୍ଷୁଛି ନିଆଁପିଣ୍ଡୁଳା । ପ୍ରଚଣ୍ଡ ରୌଦ୍ର ତାପ ଓ ଅସହ୍ୟ ଗୁଳୁଗୁଳିରେ ଆଉଟପାଉଟ ହେଉଛି ପୂରା ଓଡ଼ିଶା । ରାଜ୍ୟରେ ପାରା ୪୬ ଡିଗ୍ରୀ ଛୁଇଁଲାଣି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବଂ ସୋଆ ସିଇସି ନିର୍ଦ୍ଦେଶକ ଡା. ଶରତ ସାହୁଙ୍କ ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ନୁହେଁ, ବରଂ ଆସନ୍ତା ୩୦ ମଇ ଯାଏଁ ଓଡ଼ିଶାବାସୀଙ୍କୁ ଏହି ତାତିରୁ ମିଳିବନି ତ୍ରାହି । ଏହି ସମୟ ମଧ୍ୟରେ ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ଆଶଙ୍କା ରହିଛି ।

ବଙ୍ଗୋପସାଗରୀୟ ପବନ ଦୁର୍ବଳ ଥିବାରୁ କାଳବୈଶାଖୀ ସମ୍ଭାବନା ଏବେ କ୍ଷୀଣ ହୋଇପଡ଼ିଛି । ଦିନ ବେଳା ଆକାଶ ମେଘମୁକ୍ତ ରହୁଥିବାରୁ ସିଧାସଳଖ ସୂର୍ଯ୍ୟତାପ ସହିତ ରାତିରେ ବାଦଲ ଯୋଗୁଁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ମାଡ଼ୁଥିବାରୁ ସ୍ଥିତି ଅଧିକ ଜଟିଳ ହେଉଛି । ବିଶେଷଜ୍ଞଙ୍କ ମତରେ, ତାପମାତ୍ରା ଯାହା ରହୁଛି, ପାଣିପାଗ ସ୍ଥିତି ଯୋଗୁଁ ତାହା ପ୍ରକୃତରେ ୧୫-୨୦ ଡିଗ୍ରୀ ଅଧିକ ଅନୁଭୂତ ହେଉଛି । ଅର୍ଥାତ, ୪୫ ଡିଗ୍ରୀ ତାପମାତ୍ରା ୬୫ ଡିଗ୍ରୀ ଭଳି ଲାଗୁଛି ।

ଅସହ୍ୟ ଖରାରେ ଗୋଟିଏ ଘଣ୍ଟା ଠିଆ ହେଲେ ମଧ୍ୟ ହୃଦଘାତ ବା ଅଂଶୁଘାତର ଆଶଙ୍କା ଅଧିକ ରହିଛି । ତେଣୁ, ଆବଶ୍ୟକ ନଥିଲେ ଖରା ବେଳେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଚୁର ପାଣି ପିଇବା ସହିତ ନିଜକୁ ଖରାରୁ ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଇଛି ।