କନିଷ୍ଠ ଶିକ୍ଷକଙ୍କୁ ନେଇ ବଡ଼ ଅପଡେଟ୍, ନିୟମିତ ଘୋଷଣା କଲେ ସରକାର, ଜାନୁଆରୀ ୧ରୁ ପିଛିଲା ଭାବେ ପାଇବେ ଦରମା
୨୦୨୩-୨୪ରେ ନିଯୁକ୍ତ ଓ ସେବାରତ ଶିକ୍ଷକଙ୍କ ନିୟମିତକରଣ ନେଇ ସରକାରୀ ବିଜ୍ଞପ୍ତି। ୨୦୨୬ରୁ ନିୟମିତ ସୁବିଧାର ବ୍ୟବସ୍ଥା।
ଭୁବନେଶ୍ୱର: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନେଇ ଆସିଛି ବଡ଼ ଅପଡେଟ୍। ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତ ହୋଇ ବର୍ତ୍ତମାନ ସେବାରତ ଥିବା ଜୁନିୟର ଟିଚର୍ସ (ସ୍କିମାଟିକ୍)ଙ୍କୁ ଏଲିମେଣ୍ଟାରୀ କ୍ୟାଡର Level-V(A) ଆସିଣ୍ଟାଣ୍ଟ ଟିଚର ଭାବେ ନିୟମିତକରଣ କରିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
କେଉଁମାନେ ହେବେ ନିୟମିତ: ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଜୁନିୟର ଟିଚର୍ସ (ସ୍କିମାଟିକ୍) ଭାବେ ନିଯୁକ୍ତ ହୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ରେ ସେବାରତ ଥିବା ଶିକ୍ଷକମାନେ ଏହି ବ୍ୟବସ୍ଥାରେ ଆସୁଛନ୍ତି।
ସେମାନଙ୍କୁ ଏଲିମେଣ୍ଟାରୀ କ୍ୟାଡର Level-V(A) ଆସିଣ୍ଟାଣ୍ଟ ଟିଚର ଭାବେ ନିୟମିତକରଣ କରିବାକୁ ସରକାର କହିଛନ୍ତି।
୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ମିଳିବ ଦରମା: ସରକାରଙ୍କ ବିଜ୍ଞପ୍ତିରେ ନିୟମିତକରଣକୁ ସମ୍ପୃକ୍ତ ଶିକ୍ଷକଙ୍କ ଜଏନିଙ୍ଗ ଡେଟରୁ ଗଣନା କରିବା କଥା ରହିଛି। ତେବେ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ନ୍ୟାସନାଲ୍ ସର୍ଭିସ୍ ବେନିଫିଟ୍ସ ଦିଆଯିବା ସହ ୧ ଜାନୁଆରୀ ୨୦୨୬ରୁ Level-V(A) ଆସିଣ୍ଟାଣ୍ଟ ଟିଚରଙ୍କ ନିୟମିତ ଦରମା ଓ ଅନ୍ୟାନ୍ୟ ଯୋଗ୍ୟ ସର୍ଭିସ୍ ବେନିଫିଟ୍ସ ପାଇବେ।

