ମୋତେ ମୋ’ ପ୍ରେମିକା ଦିଅ… ନହେଲେ ଟାୱାରରୁ ଓହ୍ଲାଇବିନି…

ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ନୁହୁଙ୍କୁ ବହୁ ବୁଝାଇଥିଲେ। ହେଲେ ସେ ତଳକୁ ଓହ୍ଲାଇ ନଥିଲେ। ବାରମ୍ବାର ଡେଇଁ ପଡ଼ିବାକୁ ଧମକ ଦେଇଥିଲେ

ଭୁବନେଶ୍ୱର: ହତାସିଆ ପ୍ରେମିକର ବୁକୁଫଟା ଚିତ୍କାର!!! ମୋତେ ମୋ’ ପ୍ରେମିକା ଦିଅ…। ନହେଲେ ମୁଁ ମୋବାଇଲ ଟାୱାରରୁ ତଳକୁ ଡେଇଁ ପଡ଼ିବି। ଆଜି ଅପରାହ୍ନ ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଟାୱାର ଉପରେ ଚଢ଼ି ଏପରି ଡ୍ରାମା କରୁଛନ୍ତି ଜଣେ ହତାସିଆ ପ୍ରେମିକ। ନାଁ ତାଙ୍କର ନୁହୁ ନାଏକ। ଘର ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଝୁମ୍ପୁରା ଗାଁରେ।

ପୂରା ଘଟଣାଟି ଏମିତି। ଝୁମ୍ପୁରା ଗାଁର ନୁହୁ ନାଏକ। ବିବାହିତ ଓ ଗୋଟିଏ ପିଲା ବାପା। ହେଲେ ଦୁର୍ଭାଗ୍ୟକୁ ପାରିବାରିକ କହଳ ପାଇଁ ପତ୍ନୀ ଘର ଛାଡ଼ି ପଳାଇ ଯାଇଛନ୍ତି। ଯେତେ ବୁଝାଇଲେ ମଧ୍ୟ ସେ ଆସିଲେ ନାହିଁ। ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ନୁହୁ। କିନ୍ତୁ ମୁଣ୍ଡରୁ ପ୍ରେମ ନିଶା ଉତୁରି ନଥିଲା। ପତ୍ନୀ ଗଲା ପରେ ସେ ଅନୁଗୋଳ ଜିଲ୍ଲାର କଣ୍ଟାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇଥିଲେ।

ପରବର୍ତ୍ତୀ ସମୟରେ ପ୍ରେମିକାଙ୍କୁ ନିଜ ଘରକୁ ନେଇ ଆସିଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ପରି ଗୋଟିଏ ଘରେ ରହୁଥିଲେ। ଯୁବତୀଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ଝୁମ୍ପୁରା ଗାଁରେ ପହଞ୍ଚିଥିଲେ। ଆଉ ଆଜି ତାଙ୍କୁ ନେଇ ଯାଇଥିଲେ। ପ୍ରେମିକା ଗଲା ପରେ ଭାଙ୍ଗି ପଡ଼ିଥିଲେ ନୁହୁ। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସେ ଗାଁରେ ଥିବା ମୋବାଇଲ ଟାୱାର ଉପରକୁ ଚଢ଼ି ଯାଇଥିଲେ। ତଳକୁ ଡେଇଁ ପଡ଼ିବେ ବୋଲି ଧମକ ଦେଇଥିଲେ।

ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ନୁହୁଙ୍କୁ ବହୁ ବୁଝାଇଥିଲେ। ହେଲେ ସେ ତଳକୁ ଓହ୍ଲାଇ ନଥିଲେ। ବାରମ୍ବାର ଡେଇଁ ପଡ଼ିବାକୁ ଧମକ ଦେଇଥିଲେ। ଗାଁ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ଟାୱାର ପାଖରେ ପହଞ୍ଚି ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ। ହେଲେ ନୁହୁ କିଛି ଶୁଣିବା ମୋଡ଼ରେ ନଥିଲେ। ସେ ଖାଲି କହିଥିଲେ, ମୋ’ ପ୍ରେମିକାକୁ ଫେରାଇ ଦେଲେ ମୁଁ ଟାୱାରରୁ ତଳକୁ ଓହ୍ଲାଇବି। ନହେଲେ ଡେଇଁ ପଡ଼ିବି। ତେଣୁ ପୋଲିସ କୌଣସି ନିଷ୍ପତ୍ତି ନେଇପାରୁନି। ରାତି ପର୍ଯ୍ୟନ୍ତ ଟାୱାର ପାଖରେ ପହରା ଦେଉଥିବା ଜଣାପଡ଼ିଛି।