୭୫% ହାଜିରା ନଥିଲେ ମିଳିବନି ମାଗଣା ଶିକ୍ଷା ସୁବିଧା !

ଓଡ଼ିଶାରେ ମାଗଣା ଶିକ୍ଷା ଯୋଜନା ପାଇଁ ୭୫ ପ୍ରତିଶତ ହାଜିରା ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ସରକାର ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ରୁ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହାକୁ ସାଧାରଣତଃ କେଜି (KG) ରୁ ପିଜି (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା ଭାବରେ ଜଣାଯାଏ। ଏହି ଯୋଜନାରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରତି ଶିକ୍ଷାବର୍ଷରେ ଶ୍ରେଣୀଗୃହରେ ଅତିକମରେ ୭୫ ପ୍ରତିଶତ ହାଜିରା ରଖିବାକୁ ପଡ଼ିବ ବୋଲି ମଙ୍ଗଳବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ପରିସ୍ଥିତିରେ ଏହି ହାଜିରାକୁ ୬୫ ପ୍ରତିଶତ ପର୍ଯ୍ୟନ୍ତ କୋହଳ କରାଯାଇପାରିବ। ସରକାରୀ ସ୍ୱୀକୃତିପ୍ରାପ୍ତ ବାୟୋମେଟ୍ରିକ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ସିଷ୍ଟମ୍ ମାଧ୍ୟମରେ ହାଜିରା ଯାଞ୍ଚ କରାଯିବ।

Uttarakhand Govt.

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ସାର୍ବଜନୀନ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ନିୟମିତ ସ୍ନାତକ (UG) ଓ ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ତେବେ ସେଲ୍ଫ-ଫାଇନାନ୍ସିଂ, ଦୂରଶିକ୍ଷା, ପିପିପି ମୋଡ୍‌ରେ ଚାଲୁଥିବା ପାଠ୍ୟକ୍ରମ, ବୃତ୍ତିଗତ ଓ ବୈଷୟିକ ଶିକ୍ଷା (ଯେପରିକି BEd, MEd, LLB, MBA, MCA ଇତ୍ୟାଦି) ଏବଂ ବେସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏହି ଯୋଜନାରେ ସାମିଲ ହେବେ ନାହିଁ।

ଏହି ଯୋଜନାର ଲାଭ ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସାମ୍ସ (SAMS) ପୋର୍ଟାଲ୍ ମାଧ୍ୟମରେ ନିୟମିତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେବ। ସରକାର ନାମଲେଖା ସମୟରେ ଆଦାୟ ହେଉଥିବା ସମସ୍ତ ଶୁଳ୍କ (ଆଡମିଶନ ଫି, ଡେଭଲପମେଣ୍ଟ ଫି ଇତ୍ୟାଦି) ବହନ କରିବେ ଏବଂ ଅନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କଠାରୁ ଏହି ଫି ଆଦାୟ କରିପାରିବେ ନାହିଁ; କେବଳ ପରୀକ୍ଷା ଫି ଦେବାକୁ ପଡ଼ିବ। ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଫି ଦେଇସାରିଛନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ କରାଯିବ। ଏଥିସହିତ, ଅନୁଷ୍ଠାନଗୁଡ଼ିକ ନିଜ ଇଚ୍ଛାରେ ଫି ଢାଞ୍ଚାରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଫି ନିୟନ୍ତ୍ରଣ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଯୋଜନା ଦ୍ୱାରା ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଅଧିକ ସହଜ ହେବ ଏବଂ ଏହା ‘ବିକଶିତ ଓଡ଼ିଶା ୨୦୩୬’ ର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ।