fbpx

ସଂଶୋଧନ ହେବ ଓଡ଼ିଶା ମୋଟର ଯାନ ନିୟମ: ପଥଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ରହିବ ସୁରକ୍ଷିତ ମାର୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ପଥଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ସୁରକ୍ଷିତ ଗମନାଗମନ ପାଇଁ ଓଡ଼ିଶା ମୋଟର ଯାନ ଆଇନ ୧୯୯୩ ସଂଶୋଧନ କରି ଓଡ଼ିଶା ମୋଟର ଯାନ (ସଂଶୋଧିତ) ନିୟମ, ୨୦୨୨ ଲାଗୁ କରାଯିବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଓ ପୂର୍ତ୍ତ ବିଭାକୁ ପତ୍ର ଲେଖା ଯାଇଛି । ପ୍ରତି ରାସ୍ତାରେ କ’ଣ ସବୁ ସୁବିଧା ରହିବା ଆବଶ୍ୟକ, ସେନେଇ ଏକ ଏସପିଓ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।

ଏହି ପତ୍ରରେ କୁହାଯାଇଛି, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସହିତ ଅନ୍ୟ ମୁଖ୍ୟ ରାସ୍ତା କଡ଼ରେ ସାଇକେଲ, ରିକ୍ସା, ଚାଲିବା ପାଇଁ ସ୍ୱତନ୍ତ୍ର ମାର୍ଗ ନିର୍ଦ୍ଧାରଣ କରାଯିବ । ଆବଶ୍ୟକ ହେଲେ ଫୁଟ ଓଭର ବ୍ରିଜ୍ ନିର୍ମାଣ କରାଯିବ । ଏହାଫଳରେ ରାସ୍ତାରେ ଯାଉଥିବା ଗାଡ଼ିଠାରୁ ପଥଚାରୀମାନେ ସୁରକ୍ଷିତ ଦୂରତା ରକ୍ଷା କରିପାରିବେ । କେଉଁ ସଡ଼କରେ କେତେ ଦୂରତାରେ ଯାନବାହାନ ଚଳାଚଳ ନିଷେଧ ହେବ ସେନେଇ ସଡ଼କ ନିର୍ମାଣକାରୀ ବିଭାଗ ଚିହ୍ନଟ କରିବ । ନୂଆ କରି ନିର୍ମାଣ ହୋଇଥିବା ବା ମରାମତି ହେଉଥିବା ଜନଗହଳି ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ରାସ୍ତା ନିର୍ମାଣ ପାଇଁ ଡିଜାଇନ ପ୍ରସ୍ତୁତି ସମୟରେ ପଥଚାରୀଙ୍କ ପାଇଁ ଜେବ୍ରା କ୍ରସିଂ, ସବୱେ, ଫୁଟ ଓଭର ବ୍ରିଜ୍ ଆଦି ନିର୍ମାଣ ପାଇଁ ନିୟମ ରହିବ । ବିଦ୍ୟାଳୟ, ଡାକ୍ତରଖାନା, ମାର୍କେଟ ଅଞ୍ଚଳରେ ଏପରି ସୁରକ୍ଷିତ ଗନ୍ତବ୍ୟ ପଥ ନିର୍ମାଣ କରିବା ଉପରେ ଫୋକସ କରାଯିବ । ଦୁଇ କିଲୋମିଟର ଦୂରତା ଅନ୍ତରରେ ପଥଚାରୀଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯିବ । ପଥ ଅବରୋଧକାରୀ ଓ ଦ୍ରୁତ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Get real time updates directly on you device, subscribe now.