ଜୁଲାଇ ୧୨ରେ ବିଜେପିରେ ମିଶିବେ ବରିଷ୍ଠ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ !
ଯଦି ପ୍ରଭାତ ବିଶ୍ୱାଳ ବିଜେପିରେ ମିଶନ୍ତି, ତେବେ ଏହା କେବଳ ବିଜେଡି ପାଇଁ ଚିନ୍ତା ବଢ଼ାଇବ ନାହିଁ, ବରଂ ବିଜେପି ଭିତରେ ମଧ୍ୟ ଏକ ରାଜନୈତିକ ଝଡ଼ ସୃଷ୍ଟି କରିବ। କାରଣ ବରିଷ୍ଠ ନେତା ନୟନ କିଶୋର ମହାନ୍ତି ଦୀର୍ଘ ଦିନ ହେବ କଟକ-ଚୌଦ୍ୱାର ଅଞ୍ଚଳରେ ଆଗରେ ରହି ବିଜେପିର ନେତୃତ୍ୱ ନେଉଛନ୍ତି।
ଭୁବନେଶ୍ୱର, ୮ ଜୁଲାଇ: ବରିଷ୍ଠ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ଆସନ୍ତା ଜୁଲାଇ ୧୨ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବେ ବୋଲି ସୂତ୍ରରୁ ପ୍ରକାଶ। ଏହି ରାଜନୈତିକ ପଦକ୍ଷେପ ନେଇ ପ୍ରଭାତ ବିଶ୍ୱାଳ କିମ୍ବା ବିଜେପି ନେତୃତ୍ୱ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନଥିଲେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କର ସାଙ୍ଗଠନିକ ଦକ୍ଷତା, ଜନପ୍ରିୟତା ଏବଂ ତୃଣମୂଳ ସ୍ତରର ନେତୃତ୍ୱକୁ ଦେଖି ଏହି ସମ୍ଭାବନା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ସୂତ୍ର ଅନୁସାରେ, ଗତ ଫେବୃଆରୀ ୨୮ ତାରିଖରେ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କୃତ ହୋଇଥିବା ପ୍ରଭାତ ବିଶ୍ୱାଳ, ବିଜେପିର ଓଡ଼ିଶା ପ୍ରଭାରୀ ନୀତିନ ନବୀନଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ‘ମିଶ୍ରଣ ପର୍ବ’ରେ ପଦ୍ମ ଦଳରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତି ରହିବେ। ଏବେ ଚୌଦ୍ୱାର ପୌରପାଳିକାର ବିଜେଡି କାଉନସିଲର ଏବଂ କଟକ ମହାନଗର ନିଗମ (ସିଏମସି)ର କର୍ପୋରେଟରମାନେ ମଧ୍ୟ ପ୍ରଭାତଙ୍କ ସହ ବିଜେପିକୁ ଯିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ଫେବୃଆରୀ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କ ପ୍ରାର୍ଥିତ୍ୱକୁ ପ୍ରଭାତ ଖୋଲାଖୋଲି ବିରୋଧ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ଓ ଶୃଙ୍ଖଳାଭଙ୍ଗ ଅଭିଯୋଗରେ ଦଳ ୩ ଥରର ପୂର୍ବତନ ବିଧାୟକ ପ୍ରଭାତଙ୍କୁ ବହିଷ୍କାର କରିଥିଲା। କିଛି ଦିନ ତଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ କଟକ ଜିଲ୍ଲା, ବିଶେଷ କରି କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଏକ ବଡ଼ ଝଟ୍କା ଲାଗିଥିଲା। ପରେ ସେ ବିଜେପି ଟିକେଟ୍ରେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
ଯଦି ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗ ଦିଅନ୍ତି, ତେବେ ଏହା କେବଳ ବିଜେଡି ପାଇଁ ଚିନ୍ତା ବଢ଼ାଇବ ନାହିଁ, ବରଂ ବିଜେପି ଭିତରେ ମଧ୍ୟ ରାଜନୈତିକ ହଲଚଲ ସୃଷ୍ଟି କରିପାରେ। କାରଣ ବରିଷ୍ଠ ନେତା ନୟନ କିଶୋର ମହାନ୍ତି ଦୀର୍ଘ ଦିନ ଧରି କଟକ-ଚୌଦ୍ୱାର ଅଞ୍ଚଳରେ ବିଜେପିର ନେତୃତ୍ୱ ନେଇ ଆସୁଛନ୍ତି।


