fbpx

ବାତ୍ୟା ‘ୟଶ୍’ କ୍ଷୟକ୍ଷତି ୬୧୦ କୋଟି, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟଶ୍ ଜନିତ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଅ।।ଇଥିବା ବିଭିନ୍ନ ପଦପେକ୍ଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଡକୁମେଣ୍ଟେସନ୍ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତ । ସେହିପରି ଡକୁମେଣ୍ଟେସନ୍ କରାଗଲେ ଭବିଷ୍ୟତରେ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବାତ୍ୟା ୟଶ ରାଜ୍ୟରେ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା  । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି । ବାତ୍ୟା ପରବର୍ତ୍ତୀ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କର।।ଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର  ପିକେ ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁାୟୀ ପ୍ରଶାସନ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ନେଇ କାମ କରିଥିଲା ଏବଂ ଏଥିରେ ପ୍ରାୟତଃ ସଫଳ ହୋଇଛି । ବାତ୍ୟାରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ  । ସେହିପରି ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ମିଶାଇ ମୋଟ ୬୧୦ କୋଟି ଟଙ୍କା କ୍ଷତି ହୋଇଛି । ଏଥିସହ ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ । ସମୁଦ୍ରକୂଳିଆ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଲୁଣି ପାଣି ମାଡ଼ିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି  । ତେଣୁ କୃଷି ଓ ବୈଷୟିକ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକଙ୍କୁ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କୁହାଯାଇଛି ।

ଏହି ଅବସରରେ ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ଦକ୍ଷତା ସମ୍ପର୍କରେ ସୂଚନା ଦେଇଥିଲେ । ଶକ୍ତି ବିଭାଗ ପକ୍ଷରୁ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିବା ଏବଂ ସେଥିମଧ୍ୟରୁ ୯୯.୮ ପ୍ରତିଶତଙ୍କୁ ପୁନଃ ବିଜୁଳି ସଂଯୋଗ ଦିଆଯାଇଥିବା କୁହାଯାଇଛି । ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୭୭ କୋଟି ଟଙ୍କା, ଜଳସମ୍ପଦ ବିଭାଗ ପକ୍ଷରୁ ୧୦୮ କୋଟି, ପୂର୍ତ୍ତ ବିଭାଗ ପକ୍ଷରୁ ୭୫ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ବୈଠକରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ସମ୍ପୃକ୍ତ ଜିଲ୍ଲାକୁ ଆବଶ୍ୟକ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

Get real time updates directly on you device, subscribe now.