ମେଡିକାଲ-ଇଞ୍ଜିନିୟରିଂ ପଢ଼ିବେ SC/ST ଛାତ୍ର, ଆଡମିଶନ ଫି’ ଛାଡ଼
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଉଥିବା SC ଓ ST ଛାତ୍ରଛାତ୍ରୀଙ୍କ ଆଡମିଶନ ଫି’ ଛାଡ଼ କରିଛନ୍ତି।
ଭୁବନେଶ୍ୱର: ଓଡ଼ିଶାର ଏସସି (SC) ଏବଂ ଏସଟି (ST) ବର୍ଗର ଗରୀବ ଛାତ୍ରଛାତ୍ରୀମାନେ ଏଣିକି ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବାବେଳେ ଫି’ ପାଇଁ ଆଉ ଅସୁବିଧାରେ ପଡ଼ିବେ ନାହିଁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି ଯେ, ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ବେଳେ SC ଓ ST ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଆଡମିସନ୍ ଫି’, ଟ୍ୟୁସନ୍ ଫି’ କିମ୍ବା ଅନ୍ୟ ନିର୍ଦ୍ଧାରିତ ଫି’ ଜମା କରିବାକୁ ପଡ଼ିବ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ଯୋଗ୍ୟ SC/ST ଛାତ୍ରଛାତ୍ରୀ ବିନା ଫି’ ଜମା କରି କଲେଜରେ ନାମ ଲେଖାଇପାରିବେ। ନାମ ଲେଖାଇବା ପରେ ମଧ୍ୟ ସେମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଏହି ଫି’ ଜମା କରିବାରୁ ଛାଡ଼ ମିଳିବ। ଛାତ୍ରଛାତ୍ରୀମାନେ ସ୍କଲାରସିପ୍ ଟଙ୍କା ପାଇବା ପରେ ଆଡମିସନ୍ ଓ ଟ୍ୟୁସନ୍ ଫି’ ଜମା କରିପାରିବେ।
ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ବୃତ୍ତିଗତ ପାଠ୍ୟକ୍ରମରେ ସିଟ୍ ପାଉଥିବା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବା। ଅନେକ ଛାତ୍ରଛାତ୍ରୀ ସିଟ୍ ପାଇଥିଲେ ମଧ୍ୟ ନାମ ଲେଖା ସମୟରେ ଆବଶ୍ୟକ ଟଙ୍କା ଯୋଗାଡ଼ କରିପାରିନଥାନ୍ତି। ଫଳରେ ସେମାନେ ଅସୁବିଧାରେ ପଡ଼ନ୍ତି।
ଅର୍ଥନୈତିକ ଦୁର୍ବଳ SC/ST ପରିବାରର ଅନେକ ଛାତ୍ରଛାତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ସ୍କଲାରସିପ୍ ପାଇଥାନ୍ତି। ତେବେ ସ୍କଲାରସିପ୍ ଟଙ୍କା ମିଳିବା ପ୍ରକ୍ରିୟାରେ ପ୍ରାୟ ୩ରୁ ୪ ମାସ ସମୟ ଲାଗିଯାଏ। ଏହି କାରଣରୁ ସ୍କଲାରସିପ୍ ଟଙ୍କା ମିଳିବା ପୂର୍ବରୁ ଆଡମିସନ୍ ଓ ଟ୍ୟୁସନ୍ ଫି’ ଯୋଗାଡ଼ କରିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୋଇଥାଏ।
ନୂଆ ବ୍ୟବସ୍ଥା ଅନୁସାରେ, ଛାତ୍ରଛାତ୍ରୀମାନେ ପ୍ରଥମେ କୌଣସି ଫି’ ନଦେଇ ନାମ ଲେଖାଇପାରିବେ। ପରେ ସ୍କଲାରସିପ୍ ଟଙ୍କା ପାଇବା ପରେ ଆଡମିସନ୍ ଓ ଟ୍ୟୁସନ୍ ଫି’ ଜମା କରିପାରିବେ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଗରିବ ଓ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ବଡ଼ ଆର୍ଥିକ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି। ତୁରନ୍ତ ଟଙ୍କା ଯୋଗାଡ଼ କରିନପାରିବା କାରଣରୁ ଯେପରି କୌଣସି ଛାତ୍ରଛାତ୍ରୀ ମେଡିକାଲ କିମ୍ବା ଇଞ୍ଜିନିୟରିଂ ପାଠପଢ଼ାରୁ ବଞ୍ଚିତ ନହୁଅନ୍ତି, ଏହି ବ୍ୟବସ୍ଥା ତାହା ନିଶ୍ଚିତ କରିବ।
ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଓ ଯୋଗ୍ୟତା ମାନଦଣ୍ଡ ସମ୍ପର୍କରେ ରାଜ୍ୟ ସରକାର ଖୁବଶୀଘ୍ର ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବେ।


