ସ୍କୁଲ ପ୍ରାର୍ଥନା ସଭାରେ ଏବେ ପ୍ରଥମେ ଗାନ କରାଯିବ ‘ବନ୍ଦେ ମାତରମ’

ଓଡ଼ିଶା ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଏକ ନିର୍ଦ୍ଦେଶ ଦେଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂତନ ନିୟମ ଅନୁଯାୟୀ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଗାନ କରିବା ପୂର୍ବରୁ 'ବନ୍ଦେ ମାତରମ୍' ଗାନ କରାଯିବ।

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସ୍କୁଲରେ ଜାତୀୟ ସଙ୍ଗୀତ “ଜନ ଗଣ ମନ’ ଗାନ କରିବା ପୂର୍ବରୁ “ବନ୍ଦେ ମାତରମ୍‌’ ଗାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ସ୍କୁଲର ସମସ୍ତ ସଭା ଏବଂ କାର୍ଯ୍ୟକ୍ରମରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ମଧ୍ୟ ଏହାକୁ କଡ଼ାକଡି ଭାବେ ପାଳନ ପାଇଁ ଗୃହ ବିଭାଗ ପକ୍ଷରୁ ଅବଗତ କରାଯାଇଛି।
ଗତ ଜୁଲାଇ ୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଯେକୌଣସି ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଉଭୟ ଗାନ କରାଗଲେ, ପ୍ରଥମେ “ବନ୍ଦେ ମାତରମ୍‌’ ଏବଂ ପରେ “ଜନ ଗଣ ମନ’ ଗାନ କରାଯିବ।

Uttarakhand Govt.

ଉଭୟ ଗୀତର ମୂଳ ଶବ୍ଦ, ଉଚ୍ଚାରଣ ଏବଂ ସଠିକ୍ ସ୍ୱର ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ପତାକା, ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ପ୍ରତି ସମ୍ମାନ ଭାବ ଜାଗ୍ରତ କରିବା ପାଇଁ ସକାଳ ପ୍ରାର୍ଥନା ସଭାରେ ସମସ୍ତେ ମିଶି ଏହାକୁ ଗାନ କରିବାକୁ କୁହାଯାଇଛି।

ଜାତୀୟ ସଙ୍ଗୀତ ଗାନ ସମୟରେ ସମ୍ମାନ ପ୍ରଦର୍ଶନ ପାଇଁ ସମସ୍ତେ ସାବଧାନ ମୁଦ୍ରାରେ ଠିଆ ହେବା ଅନୁବାର୍ଯ୍ୟ। ଛାତ୍ରଛାତ୍ରୀଙ୍କ ଭିତରେ ଦେଶପ୍ରେମ ଏବଂ ଜାତୀୟ ଗର୍ବ ଭାବନାକୁ ଆହୁରି ଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।