ଛୁଟି ସରିଲା, ଜୁନ୍ ୧୮ରୁ ଖୋଲିବ ରାଜ୍ୟର ସବୁ ସ୍କୁଲ!
ଆସନ୍ତା ଜୁନ୍ ୧୮ ତାରିଖରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଯାଉଛି ବୋଲି ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି।
ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଆସନ୍ତା ଜୁନ୍ ୧୮ ତାରିଖରୁ ଖୋଲିବାକୁ ଯାଉଛି ବୋଲି ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୌସୁମୀ ବାୟୁର ଆଗମନ ଏବଂ ତାପମାତ୍ରା ହ୍ରାସ ପାଇବାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ଗ୍ରୀଷ୍ମକାଳୀନ ଛୁଟି ପରେ ପିଲାମାନଙ୍କ ପାଠପଢ଼ା ଆରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ସ୍କୁଲ ଖୋଲିବା ନେଇ ଘୋଷଣା କରିବା ସହ ମନ୍ତ୍ରୀ କହିଛନ୍ତି ଯେ ସରକାର ରାଜ୍ୟର ପାଣିପାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପାଣିପାଗ ବଦଳିବା ଯୋଗୁଁ ଯଦି ପୁଣିଥରେ ଗରମ ଓ ଗୁଳୁଗୁଳି ବଢ଼େ, ତେବେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଆଲୋଚନା କରାଯାଇ ଉପଯୁକ୍ତ ନିଷ୍ପତ୍ତି ନିଆଯିବ।
ଏହାସହ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସ୍କୁଲ ଖୋଲିବା ପୂର୍ବରୁ ପିଲାମାନଙ୍କୁ ଯେପରି ସଠିକ୍ ସମୟରେ ବହି ମିଳିପାରିବ, ସେଥିପାଇଁ ଚେଷ୍ଟା ଚାଲିଛି। ଜୁନ୍ ୧୮ରୁ ସ୍କୁଲ ଖୋଲୁଥିବାରୁ, ଶିକ୍ଷାଦାନ କାର୍ଯ୍ୟକୁ ସ୍ୱାଭାବିକ କରିବା ଏବଂ ବିନା କୌଣସି ବିଳମ୍ବରେ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ପାଠ୍ୟୋପକରଣ ଯୋଗାଇଦେବା ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି।

