ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ଫଳ ପ୍ରକାଶ, ଟପ୍ପର ହେଲେ ହାଇଟେକ୍ ମେଡିକାଲ କଲେଜର ବିଦ୍ୟାର୍ଥୀ
ହାଇଟେକ ମେଡିକାଲ କଲେଜର ୮ ଜଣ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ସଫଳତା
ଭୁବନେଶ୍ଵର: ଓଡ଼ିଶାରେ ପ୍ରଥମ କରି ପ୍ରତିଷ୍ଠିତ ହୋଇଥିବା ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ’ର ପ୍ରଥମ ବ୍ୟାଚ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ୮ ଜଣ ବିଦ୍ୟାର୍ଥୀ ଶ୍ରେଷ୍ଠ ସଫଳତା ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି।
ଟପ୍ପର ହେଲେ ଡକ୍ଟର ରଂଜିତ କୁମାର ବରାଇ: ନିଶ୍ଚେତକ ବିଜ୍ଞାନୀ ଡକ୍ଟର ରଂଜିତ କୁମାର ବରାଇ ଏହି ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଥିବାବେଳେ ଡକ୍ଟର ଶିକ୍ତା ମିଶ୍ର ଶ୍ରେଷ୍ଠ ତୃତୀୟ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି।
ସଫଳ କୃତିତ୍ୱଧାରୀଙ୍କୁ ସମ୍ବର୍ଦ୍ଧନା: ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କୃତକାର୍ଯ୍ୟ ହୋଇଥିବା ଆଠଜଣ ଚିକିତ୍ସାବିତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି ଅବସରରେ ସେ ନିଜ ପରିବାର, ଅଞ୍ଚଳ ଏବଂ ଦେଶର ସେବା ପାଇଁ ଆଗକୁ ଆସିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି।
ଏହି ସମ୍ବର୍ଦ୍ଧନା ସଭାରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଡକ୍ଟର ସୀତାରାମ ମହାପାତ୍ର, ଡକ୍ଟର ବାସୁଦେବ ବେହେରା, ମୁଖ୍ୟ ପ୍ରଶାସନିକ ଅଧିକାରୀ ମଲ୍କିନ ବେହେରା ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ। କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନେ ଏହାର ଶ୍ରେୟ ମେଡିକାଲ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ମାର୍ଗଦର୍ଶନ ଏବଂ ଆଶୀର୍ବାଦକୁ ଦେଇଛନ୍ତି।

