ଜମି ଗଲା, ଟଙ୍କା ମିଳିଲାନି; ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଅଧିକାରୀ
ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟାରେ ଜଣେ ଜମି ମାଲିକଙ୍କ ଜମି ଅଧିଗ୍ରହଣ ହୋଇଥିବାରୁ ତାଙ୍କୁ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ମିଳିବାର ଥିଲା।
ସମ୍ବଲପୁର: ନିଜ ଜମି ହରାଇଲେ, କ୍ଷତିପୂରଣ ଟଙ୍କା ପାଇବା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। ଶେଷରେ ଟଙ୍କା ମିଳିବା ବଦଳରେ ଲାଞ୍ଚ ଦେବାକୁ ପଡ଼ିଲା! ଏଭଳି ଅଭିଯୋଗରେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ। ଜମି କ୍ଷତିପୂରଣ ବାବଦ ଟଙ୍କା ଦେବା ପାଇଁ ଲାଞ୍ଚ ମାଗିଥିବା ଅଭିଯୋଗରେ ୩ ଲକ୍ଷ ୧୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ।
ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟାରେ ଜଣେ ଜମି ମାଲିକଙ୍କ ଜମି ଅଧିଗ୍ରହଣ ହୋଇଥିବାରୁ ତାଙ୍କୁ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ମିଳିବାର ଥିଲା। କିନ୍ତୁ ଅଭିଯୋଗ ଅନୁସାରେ, ଟଙ୍କା ପାଇବା ପାଇଁ ସେ ବାରମ୍ବାର ପ୍ରକଳ୍ପ କାର୍ୟ୍ୟାଳୟକୁ ଦୌଡ଼ିଥିଲେ ମଧ୍ୟ ନିରାଶ ହୋଇ ଫେରୁଥିଲେ।
ଏହି ଟଙ୍କା ମଞ୍ଜୁର କରିବା ଓ ପ୍ରଦାନ କରିବା ପ୍ରକ୍ରିୟାରେ ସହଯୋଗ ପାଇଁ ଅଧିକାରୀ ଅଜୟ କୁମାର ଗଡ଼ନାୟକ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଜମି ମାଲିକ ଅଭିଯୋଗ କରିଥିଲେ। ବାଧ୍ୟ ହୋଇ ସେ ଗତ ୨୭ ତାରିଖରେ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ ବାକି ୩ ଲକ୍ଷ ୧୦ ହଜାର ଟଙ୍କା ପାଇଁ ଅଧିକାରୀ ଚାପ ପକାଉଥିବା ଅଭିଯୋଗ ହୋଇଥିଲା।
ଜମି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ଯୋଜନା ଅନୁସାରେ ଜାଲ ବିଛାଇଥିଲା। ଅଭିଯୋଗକାରୀ ବାକି ଟଙ୍କା ଦେଉଥିବା ସମୟରେ ସାଦା ପୋଷାକରେ ଥିବା ଅଧିକାରୀମାନେ ଅଜୟ କୁମାର ଗଡ଼ନାୟକଙ୍କୁ ଧରିଥିଲେ। ତାଙ୍କ ନିକଟରୁ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି।
ବର୍ତ୍ତମାନ ଭିଜିଲାନ୍ସ ଅଧିକାରୀଙ୍କୁ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛନ୍ତି। ଜମି ହରାଇଥିବା ବ୍ୟକ୍ତିଙ୍କୁ ତାଙ୍କର ପ୍ରାପ୍ୟ ପାଇବା ପାଇଁ ଲାଞ୍ଚ ଦେବାକୁ ପଡ଼ିବା ଅଭିଯୋଗ ଏହି ଘଟଣାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।


