୯ରୁ ରାଜ୍ୟର ୧୧ଟି ଜିଲ୍ଲାରେ ଭୀଷଣ ବର୍ଷା ଆଶଙ୍କା

୯ରୁ ବଢ଼ିବ ବର୍ଷାର ପ୍ରକୋପ, ଉତ୍ତର ଓ ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ; ପୁଣି ବନ୍ୟା ଆଶଙ୍କାରେ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ପ୍ରବଳ ବର୍ଷା ହେବାର ଚିନ୍ତା ଘାରିଛି । ଆଜି ଓ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ବଜ୍ରପାତ ହୋଇପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ସେପ୍ଟେମ୍ବର ୯ ତାରିଖରୁ ରାଜ୍ୟରେ ଅତି ଭାରି ବର୍ଷା ଆରମ୍ଭ ହୋଇପାରେ। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର ଅଞ୍ଚଳଗୁଡ଼ିକ ପୁଣି ପ୍ରଭାବିତ ହୋଇପାରେ।

ଆଜି ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ପାଇଁ ପାଣିପାଗ ବିଭାଗ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲା ଏହି ସତର୍କତା ଅଧୀନରେ ରହିଛି।

ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହୋଇପାରେ।

ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୯ ତାରିଖରୁ ପୁଣି ପ୍ରବଳ ବର୍ଷା ଆରମ୍ଭ ହେବାର ଆଶଙ୍କା ରହିଛି। ବୁଧବାର ଉତ୍ତର ଓଡ଼ିଶାର ୩ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାସହ ଅନ୍ୟ ୧୧ଟି ଜିଲ୍ଲା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ସେପ୍ଟେମ୍ବର ୧୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକରେ ପ୍ରବଳ ବର୍ଷା ହୋଇପାରେ।

ସେପ୍ଟେମ୍ବର ୧୧ ତାରିଖ ପାଇଁ ୧୭ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ସେପ୍ଟେମ୍ବର ୧୨ ତାରିଖ ପାଇଁ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

ଅନ୍ୟପକ୍ଷରେ, ରାଜ୍ୟର ଅନେକ ଅଞ୍ଚଳ ପୂର୍ବରୁ ବାରମ୍ବାର ବନ୍ୟା ଓ ବଢ଼ୁଥିବା ଜଳସ୍ତର ଯୋଗୁଁ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପୁଣି ବର୍ଷା ହେବାର ଆଶଙ୍କା ଥିବାରୁ ଏହି ଅଞ୍ଚଳଗୁଡ଼ିକରେ ଲୋକଙ୍କ ଚିନ୍ତା ବଢ଼ିଛି।