ଅଫେରା ରାଇଜକୁ ଚାଲିଗଲେ ହଲିଉଡ୍ ଅଭିନେତ୍ରୀ କେଲି ହଟଲ
ଗଡଜିଲା ଭର୍ସେସ୍ କଙ୍ଗ’ ଫିଲ୍ମରେ ଅଭିନୟ କରି ପରିଚିତି ହାସଲ କରିଥିବା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି
ନୂଆଦିଲ୍ଲୀ: ଦୁଃଖ ସାଗରରେ ଭସାଇ ଦେଇ ଅଫେରା ରାଇଜକୁ ଚାଲିଗଲେ ହଲିଉଡ ଅଭିନେତ୍ରୀ କେଲି ହଟଲ। ୧୮ ବର୍ଷ ବୟରେ ଏକ କାର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ‘ଗଡଜିଲା ଭର୍ସେସ୍ କଙ୍ଗ’ ଫିଲ୍ମରେ ଅଭିନୟ କରି ପରିଚିତି ହାସଲ କରିଥିବା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।
Uttarakhand Govt.
୧୮ ବର୍ଷ ବୟସରେ ଦୁନିଆକୁ ନେଲେ ବିଦାୟ: କେଲି ହଟଲ କାର୍ରେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଘଟଣା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଚଳଚ୍ଚିତ୍ର ଜଗତରେ ଶୋକ ପ୍ରକାଶ ପାଇଛି।
ସ୍କୁଲ ପକ୍ଷରୁ ଜାରି ହେଲା ବିବୃତ୍ତି: ଟେକ୍ସାସ ସ୍କୁଲ ଫର ଦ ଡେଫ୍ ସ୍କୁଲରେ କେଲି ହଟଲ ସିନିୟର ଛାତ୍ରୀ ଥିଲେ। ତାଙ୍କ ବିୟୋଗରେ ସୋସିଆଲ ମିଡିଆରେ ସ୍କୁଲ ପକ୍ଷରୁ ଦୁଃଖ ପ୍ରକାଶ ପାଇଛି। ସ୍କୁଲ ପକ୍ଷରୁ କୁହାଯାଇଛି; ଆମର ସିନିୟର ଛାତ୍ରୀ କେଲି ହଟଲଙ୍କର ମେରିଲ୍ୟାଣ୍ଡର ଫ୍ରେଡରିକରେ ଘଟିଥିବା ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏହି କଷ୍ଟଦାୟକ ସମୟରେ ଆମର ସମବେଦନା କେଲିଙ୍କ ପରିବାର, ବନ୍ଧୁ, ସହପାଠୀ ଓ ତାଙ୍କୁ ଭଲପାଉଥିବା ସମସ୍ତଙ୍କ ସହ ରହିଛି। ସମସ୍ତଙ୍କୁ ଅନୁରୋଧ, କେଲିଙ୍କ ପରିବାରର ଗୋପନୀୟତାକୁ ସମ୍ମାନ କରନ୍ତୁ। ଦୁର୍ଘଟଣାକୁ ନେଇ କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ।

