fbpx

ସାଲମନ୍ ଫିସ, ଚିକେନ୍ ଓ ବ୍ରେଡ୍ ଆମଲେଟରେ ଲୁଚି ରହିଛି ନୀରଜଙ୍କ ସଫଳତାର ରାଜ୍, ଜାଣନ୍ତୁ କିପରି ଥିଲା ଅଲିମ୍ପିକ୍ ପ୍ରସ୍ତୁତି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛି । ସୋସିଆଲ୍ ମିଡିଆରେ ଏବେ ନୀରଜ ନ୍ୟାସନାଲ କ୍ରସ୍ ବନିଯାଇଛନ୍ତି । ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ୨ ମିଲିୟନ୍ ଅତିକ୍ରମ କରିଯାଇଥିଲା । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ଓ ଅନେକ ଅନୁଷ୍ଠାନ ନୀରଜଙ୍କୁ ଏହି ସଫଳତା ପାଇଁ ଉପହାର ବର୍ଷା କରିଚାଲିଛନ୍ତି । ଟୋକିଓରେ ସେ ୮୭.୫୮ ମିଟର ଦୂରତା ଥ୍ରୋ କରି ଇତିହାସ ରଚିବା ପୂର୍ବରୁ କମନୱେଲଥ ସହ ବଡ଼ ବଡ଼ ଇଭେଣ୍ଟରେ ଗୋଲ୍ଡ ମେଡାଲ ହାସଲ କରିଥିଲେ ।

ଅଲିମ୍ପିକରେ ସଫଳତା ପାଇବା ଲକ୍ଷ୍ୟରେ ନୀରଜ ବର୍ଷ ବର୍ଷ ଧରି ନିଜର ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖୁଥିଲେ । ନିଜର ମାଂସପେଶୀକୁ ଶକ୍ତ ରଖିବା ପାଇଁ ନିୟମିତ ସକାଳୁ ୱାର୍କଆଉଟ୍ କରୁଥିଲେ । ନୀରଜ ସୋସିଆଲ୍ ମିଡିଆରେ ପୁଲଅପସ୍, ପୁଶଅପସ, ଟ୍ରାଇସେପସ୍ ଓ ଡେଡ୍ ଲିଫ୍ଟ କରି ୱାର୍ଡଆଉଟ୍ କରୁଥିବାର ଭିଡିଓ ଅପଲୋଡ୍ କରିଛନ୍ତି । ଶରୀରକୁ ମଜବୁତ କରିବା ସହ ପ୍ଲେକ୍ସିବିଲିଟି ପାଇଁ ସେ ଖୁବ୍ ଧ୍ୟାନ ଦେଉଥିଲେ । ସେ ଅଧିକାଂଶ ସମୟରେ ଘର, ଜିମ୍ ଓ ପଡ଼ିଆରେ ଏକ୍ସରସାଇଜ୍ କରୁଥିବାର ଦେଖାଯାଉଥିଲା, ଯାହାର ଫଳ ତାଙ୍କୁ ଅଲିମ୍ପିକରେ ମିଳିଥିଲା । ନିୟମିତ ଏକ୍ସରସାଇଜ୍ କରିବା ପରେ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଏନର୍ଜିର ଆବଶ୍ୟକତା ଥାଏ । ତେଣୁ ସେ ସକାଳ ଜଳଖିଆରେ ସିଝା ଅଣ୍ଡା ସହ ସପ୍ତାହରେ କିଛିଦିନ ବ୍ରେଡ୍ ଆମଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି । ବେଳେବେଳେ ନୀରଜ ନିଜେ ନିଜେ ଭେଜ୍ ବିରିୟାନୀ ପ୍ରସ୍ତୁତ କରିଥାନ୍ତି । ଏହା ସ୍ୱାଦିଷ୍ଟ ଲାଗିବା ସହ ପୌଷ୍ଟିକ ମଧ୍ୟ ହୋଇଥାଏ । ଟୁର୍ଣ୍ଣାମେଣ୍ଟ ବା ମ୍ୟାଚ ସମୟରେ ସେ ଅଧିକ ଫ୍ୟାଟଯୁକ୍ତ ଖାଦ୍ୟଠାରୁ ଦୂରେଇ ରହି ସାଲାଡ୍ ବା ଫଳ ଖାଇବା ଉପରେ ଗୁରୁତ୍ୱ ଦେଇଥାନ୍ତି । ଡାଏଟ୍ ସମୟରେ ସେ ସିଝା ଅଣ୍ଡା ଓ ଚିକେନ୍ ଖାଇଥାନ୍ତି, ଯେଉଁଥିରେ ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ୍ ରହିଥାଏ । ନିୟମିତ ୱାର୍କଆଉଟ୍ ସେସନ୍ ପରେ ନୀରଜ ତାଜା ଫଳ ଓ ଜୁସ୍ ନେବାକୁ ଆଦୌ ଭୁଲନ୍ତି ନାହିଁ । ଗୋଲଗପ୍ପେ ଖାଇବାକୁ ସେ ଅଧିକ ପସନ୍ଦ କରିଥାନ୍ତି, କାରଣ ଏହାଦ୍ୱାରା ଶରୀରର କୌଣସି କ୍ଷତି ନହେବା ସହ ଜଳୀୟ ଅଂଶ ସର୍ବଦା ବଜାୟ ରହିଥାଏ । ଯେତେବେଳେ ସେ ବିଦେଶ ଯାତ୍ରା କରନ୍ତି, ସେତେବେଳେ ସେଠାରେ ଉପଲବ୍ଧ ଥିବା ଖାଦ୍ୟ ଉପରେ ଫୋସକ୍ କରନ୍ତି ବୋଲି ନୀରଜ କହିଛନ୍ତି ।

Get real time updates directly on you device, subscribe now.