fbpx

ଭାରତ ଫେରିଲା ଅଲିମ୍ପିକ୍ସ ଦଳ;ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ।

ନୂଆଦିଲ୍ଲୀ: ଭାରତ ଫେରିଛନ୍ତି ଅଲିମ୍ପିକ୍ସ ଦଳ । ଟୋକିଓରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଭାରତ ଫେରିଛନ୍ତି ସମସ୍ତ ଆଥଲେଟ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅପରାହ୍ନରେ ପହଞ୍ଚିଥିବା ଖେଳାଳିଙ୍କ ମଧ୍ୟରେ ଭାରତର ସୁନାପୁଅ ନୀରଜ ଚୋପ୍ରା ମଧ୍ୟ ରହିଥିଲେ । ଏହା ବ୍ୟତିତ ଅନ୍ୟ ପଦକ ହାସଲ କାରୀ ରବି କୁମାର ଦାହିୟା, ଲଭଲିନା ବୋର୍ଗୋହେନ୍ ଓ ବଜରଙ୍ଗ ପୁନିଆ ଏବଂ ଭାରତୀୟ ହକି ଦଳର ସଦସ୍ୟ ମଧ୍ୟ ରହିଛନ୍ତି । ଖେଳାଳି ମାନଙ୍କୁ ଦେଖିବା ପାଇଁ ଏତେ ଭିଡ ହୋଇଥିଲା କି ଖେଳାଳି ମାନଙ୍କୁ ଯିବା ପାଇଁ ବେଶ ଅସୁବିଧା ହୋଇଥିଲା ।

ଚଳିତ ଅଲିମ୍ପିକ୍ସରେ ଭାରତ ସମୁଦାୟ ୭ଟି ପଦକ ହାସଲ କରିଥିଲା । ଜାଭେଲିନରେ ନୀରଜ ଚୋପ୍ରା ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ବ୍ୟତିତ ସାଇଖୋମ ମୀରାବାଇ ଚାନୁ(ଭାରୋତ୍ତଳନ), ରବି ଦାହିୟା(କୁସ୍ତି) ରୌପ୍ୟ ପଦକ ହାସଲ କରିଥିଲେ । ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ମ(ବକ୍ସିଂ), ଭାରତୀୟ ପୁରୁଷ ହକି ଦଳ ଓ ବଜରଙ୍ଗ ପୁନିଆ(କୁସ୍ତି)ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସ୍ୱଦେଶ ଫେରିବା ପରେ ସମସ୍ତ ଖେଳାଳିଙ୍କୁ ଦିଲ୍ଲୀର ଅଶୋକା ହୋଟେଲରେ ସମ୍ମାନିତ କରାଯିବ । ପୂର୍ବରୁ ଭାରତ ଆସିଥିବା ପିଭି ସିନ୍ଧୁ ଓ ମୀରାବାଇ ସାଇଖୋମ ଚାନୁ ମଧ୍ୟ ଅଶୋକା ହୋଟେଲର କାର୍ଯ୍ୟକ୍ରମରେ ଯୋଗ ଦେବେ ।

Get real time updates directly on you device, subscribe now.