fbpx

ରାଜ୍ୟରେ ଓମିକ୍ରନ ବିସ୍ଫୋରଣ: ଆଜି ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ, ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଛୁଇଁଲା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏହା ସହିତ ତାଳଦେଇ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଛୁଇଁଛି । ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ପୂର୍ବରୁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରହିଥିଲା ।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୩୬୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୮୪ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୮୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୯୭୧ ରହିଥିବା ବେଳେ ୧୧ ହଜାର ୬୬୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.