fbpx

ଚା’ ବିକାଳି ପାଲଟିଛନ୍ତି ତେନ୍ଦୁଲକରଙ୍କ ସହ ଖେଳୁଥିବା ଏହି ଖେଳାଳି

ଗୌହାଟୀ: ଏକଦା କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ପରି ଖେଳାଳିଙ୍କୁ ବୋଲିଂ କରିଥିବା କ୍ରିକେଟର ଆଜିକା ସମୟରେ ଚା ବିକୁଛନ୍ତି । ଆସାମର ବାମହାତୀ ସ୍ପିନର ପ୍ରକାଶ ଭଗତ ଆସାମ ପାଇଁ ରଣଜୀ ଟ୍ରଫି ଖେଳିଥିବା ବେଳେ ବର୍ତ୍ତମାନ ନିଜ ପରିବାର ପ୍ରତିପୋଷଣ ପାଇଁ ରାସ୍ତା କଡରେ ଚା ଓ ପୁରୀ ତର୍କାରୀ ବିକୁଛନ୍ତି । ଆସାମ ରଣଜୀ ଦଳର ବିଭିନ୍ନ ବୟସ ବର୍ଗରୁ କ୍ରିକେଟ ଖେଳିଥିବା ଭଗତ ୧୭ ବର୍ଷରୁ କମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ହ୍ୟାଟ୍ରିକ୍ ମଧ୍ୟ ଅର୍ଜନ କରିଛନ୍ତି । ବିହାର ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ୍ ସହିତ ୭ ୱିକେଟ ଅକ୍ତିଆର କରିଥିଲେ ଭଗତ ।

୩୪ ବର୍ଷୀୟ ପ୍ରକାଶ ଆସାମର ଚହର ଜିଲ୍ଲା ଅନ୍ତର୍ଗତ ସିଲଚରର ବାସିନ୍ଦା । ଏକଦା ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ଭଳି କ୍ରିକେଟରଙ୍କୁ ନିଜ ବାମହାତୀ ସ୍ପିନରେ ବାନ୍ଧି ରଖୁଥିବା ପ୍ରକାଶ ବର୍ତ୍ତମାନ ଇଟାଖୋଲାରେ ନିଜ ମାଙ୍କ ସହିତ ମିଶି ଚା’ ଓ ପୁରୀ ତରକାରୀ ବିକୁଛନ୍ତି । ୨୦୦୨-୦୩ ଭଗତଙ୍କ ପାଇଁ ଉଲ୍ଲେଖନୀୟ ବର୍ଷ ରହିଥିଲା । ୨୦୦୨-୦୩ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏନସିଏ ପକ୍ଷରୁ ପ୍ରକାଶଙ୍କୁ ଡାକରା ମିଳିଥିଲା । ଭାରତୀୟ ଦଳର ଏକାଧିକ ଖେଳାଳିଙ୍କୁ ବୋଲିଂ କରିବାର ସୌଭାଗ୍ୟ ହାସଲ କରିଥିଲେ ପ୍ରକାଶ । ଏପରିକି ସଚିନ୍, ଗାଙ୍ଗୁଲି ଓ ହରଭଜନ ସିଂଙ୍କ ସହିତ ତାଙ୍କର ଫଟୋ ଦେଖିବାକୁ ମିଳିଛି ।

୨୦୦୯-୧୧ ପର୍ଯ୍ୟନ୍ତ ଦୁଇଟି ସିଜିନ ସେ ଆସାମ ପକ୍ଷରୁ ରଣଜୀ ଟ୍ରଫି ଖେଳିଛନ୍ତି । ଏହା ସହିତ ଆସାମରେ ଖେଳାଯାଉଥିବା ଆନ୍ତଃଜିଲ୍ଲା କ୍ରିକେଟ ଚାମ୍ପିଅନଶିପ୍ ନୁରୁଦ୍ଦିନ୍ ଟ୍ରଫିରେ ସିଲଚର ଦଳର ଅଧିନାୟକ ରହିଥିଲେ ଭଗତ । ସିଲଚରକୁ ୨୦୦୭ରେ ନୁରୁଦ୍ଦିନ ଟ୍ରଫିରେ ଚାମ୍ପିଅନ୍ କରାଇଥିଲେ ଭଗତ । ଭଗତଙ୍କ କ୍ରିକେଟିଂ କ୍ୟାରିୟର ଠିକ୍ ରାସ୍ତାରେ ରହିଥିଲେ ହେଁ ୨୦୧୧ରେ ପିତାଙ୍କ ଅଚାନକ ମୃତ୍ୟୁ ତାଙ୍କୁ କ୍ରିକେଟ ଛାଡିବାକୁ ବାଧ୍ୟ କରିଥିଲା । ପିତାଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ ଭଗତଙ୍କ ମୁଣ୍ଡରେ ପଡିଥିଲା । ଅଭ୍ୟାସ ପାଇଁ ସମୟ ମିଳୁନଥିବାରୁ କ୍ରିକେଟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଭଗତ । ଇଟାଖୋଲାରେ ଏକ ଭଡାଘରେ ରହୁଥିବା ପ୍ରକାଶ ଏକ ଘରୋଇ କମ୍ପାନୀରେ ଚାକିରି କରି ୧୦-୧୨ ହଜାର ଟଙ୍କା ପାଉଥିଲେ । ତେବେ କରୋନାରେ ଚାକିରି ଯିବା ପରେ ଚା ବିକି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ଏହି କ୍ରିକେଟର ।

Get real time updates directly on you device, subscribe now.