fbpx

ତୁର୍କୀ ଉପରେ ପ୍ରକୃତିର କୋପ ଦୃଷ୍ଟି: ଗୋଟିଏ ଦିନରେ ତୃତୀୟ ଥର ହେଲା ଭୂମିକମ୍ପ, ୧୮୦୦ ମୃତ୍ୟୁ ସଂଖ୍ୟା ପାର

ନୂଆଦିଲ୍ଲୀ: ତୁର୍କୀ ଉପରେ ପଡିଛି ପ୍ରକୃତିର କୋପ ଦୃଷ୍ଟି। ଗୋଟିଏ ଦିନରେ ତୃତୀୟ ଭୂମିକମ୍ପ ଯୋଗୁଁ ସୋମବାର ତୁର୍କୀରେ ଆତଙ୍କ ଖେଳିଯାଇଛି। ତୃତୀୟ ଥର ହୋଇଥିବା ଭୂମିକମ୍ପର ରିଚ୍ଟର ସ୍କେଲରେ ତୀବ୍ରତା ୬.୦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତୁର୍କୀରେ ଏହା ହେଉଛି ତୃତୀୟ ଭୂକମ୍ପ। ତୁର୍କୀରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୧୦୪୨ ଜଣ ଏବଂ ସିରିଆରେ ୭୮୩ ଜଣଙ୍କର ମୃତ୍ୟୁ ହୋଇଛି। ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୧୮୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ସଂଖ୍ୟା ୫,୩୮୦ ରୁ ଅଧିକ ରହିଛି।

ଏହି ଭୁମିକମ୍ପରେ ୨୮୧୮ ବିଲ୍ଡିଂ ଭୁଷୁଡ଼ି ପଡିଛି। ଭୁଷୁଡ଼ି ପଡିଥିବା ଘର ଭିତରୁ ଏପର୍ଯ୍ୟନ୍ତ ୨୪୭୦ ଜଣ ଲୋକଙ୍କୁ ଉଦ୍ଧାର କରାଗଲାଣି। ବର୍ତ୍ତମାନ ମଧ୍ୟ ହଜାର ହଜାର ଲୋକେ ଏହି ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜୋରଦାର ଚାଲିଛି। ଖବର ସରବରାହ ସଂସ୍ଥା ଆସୋସିଏଟ ପ୍ରେସ୍ ଅନୁଯାୟୀ ସୋମବାର ପ୍ରଥମ ଭୁମିକମ୍ପ ଆସିବାର ୧୨ ଗଣ୍ଟା ପରେ ସନ୍ଧ୍ୟା ସମୟରେ ଭୁମିକମ୍ପର ଆଉ ଏକ ଝଟକା ଅନୁଭୁତ ହୋଇଥିଲା। ଏହାର ଘଣ୍ଟାକ ପରେ ତୃତୀୟ ଭୁମିକମ୍ପ ଆସିଥିଲା।

ତୁର୍କୀ ରାଷ୍ଟ୍ରପତି ରସିପ୍ ତାଇପ ଏର୍ଡୋଗାନ ଭୁକମ୍ପର ଭୟାଭୟକୁ ଦୃଷ୍ଟିରେ ରଖି ଜରୁରୀକାଳିନ ବୈଠକ ଡକାଇଛନ୍ତି। ଯେଉଁଥିରେ ପିଡ଼ିତଙ୍କୁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ନିଷ୍ପତି ହୋଇଛି। ଏଭଳି ସ୍ଥିତିରେ ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତା ପାଇଁ ଭାରତ ଉଦ୍ଧାରକାରୀ ଦଳ ଏବଂ ରିଲିଫ ରିଲିଫ ସାମଗ୍ରୀ ପଠାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତୁର୍କୀରେ ହୋଇଥିବା ଭୂକମ୍ପରେ ଲୋକଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି ଯେ ଏହି ଦୁଃଖଦ ଘଟଣାର ମୁକାବିଲା ପାଇଁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ।

Get real time updates directly on you device, subscribe now.