fbpx

ପୁଅର ହସ ହସ ମୁହଁ ଥରେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥିଲେ: ଏକ ମାସ ପରେ ଉଲଫା ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହେଲେ ଓଏନଜିସି ଇଞ୍ଜିନିୟର

ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ୟୁନାଇଟେଡ୍ ଲିବରେସନ୍ ଫଣ୍ଟ ଅଫ୍ ଆସାମ (ଉଲଫା) ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଛନ୍ତି ଓଏନଜିସିର ପ୍ରଡକ୍ସନ ଇଞ୍ଜିନିୟର ରିଟୁଲ ସାଇକିଆ । ଗତ ଏପ୍ରିଲ ମାସ ୨୦ ତାରିଖରେ ସେ ଉଲଫା ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ । ତେବେ ଗତ ଶନିବାର ଦିନ ସକାଳୁ ଭାରତ-ମ୍ୟାଁମାର ସୀମା ନିକଟସ୍ଥ ନାଗାଲ୍ୟାଣ୍ଡର ମୋନ ଜିଲ୍ଲାର ଲୋଙ୍ଗୱାଠାରେ ତାଙ୍କୁ ମୁକ୍ତ କରାଯାଇଥିଲା । ରିଟୁଲଙ୍କୁ ଆସାମ ପୋଲିସ, ନାଗାଲ୍ୟାଣ୍ଡ ପୋଲିସ ଓ ଆସାମ ରାଇଫଲ୍ସର ଏକ ଟିମକୁ ସମର୍ପଣ କରାଯାଇଥିବା ଜଣାପଡ଼ିଛି ।

ନାଇଟ୍ ସିଫ୍ଟରେ କାର୍ଯ୍ୟ କରୁଥିବା ସମୟରେ ଉଲଫା ଆତଙ୍କବାଦୀ ଗୋଷ୍ଠୀ ୩୮ ବର୍ଷୀୟ ରିଟୁଲଙ୍କୁ ହାତକଡ଼ି ପିନ୍ଧାଇ ଏକ ଗାଡ଼ିରେ ବସାଇ ଅପହରଣ କରି ନେଇଯାଇଥିଲେ । ଏଥିସହ ଆତଙ୍କବାଦୀମାନେ ଅନ୍ୟ ଦୁଇଜଣ କର୍ମଚାରୀ ଓ କମ୍ପାନୀର ଏକ ଆମ୍ବୁଲାନ୍ସକୁ ମଧ୍ୟ ନେଇ ଚାଲିଯାଇଥିଲେ । ଅପହରଣର ତିନି ଦିନ ପରେ ଉକ୍ତ ଦୁଇ କର୍ମଚାରୀଙ୍କୁ ରାଜ୍ୟ ସୁରକ୍ଷା ବଳ ଦ୍ୱାରା ଉଲଫା କବଳରୁ ମୁକ୍ତ କରାଯାଇଥିଲା । ଆତଙ୍କବାଦୀଙ୍କ କବଳରେ ବନ୍ଦୀ ଥିବା ବେଳେ ରିଟୁଲ ସବୁ ସମୟରେ ନିଜର ପୁଅକୁ ମନେପକାଉଥିଲେ । ପୁଅର ସରଳ, ନିରୀହ ହସ ହସ ମୁହଁ ପୁଣି ଥରେ ସେ ଦେଖିବା ପାଇଁ ଆଜି ପର୍ଯ୍ୟନ୍ତ ଜୀବିତ ରହିଥିଲେ । ଏହାଛଡ଼ା ନିଜର ବୃଦ୍ଧ ପିତାପାତାଙ୍କୁ ନେଇ ସେ ସବୁ ସମୟରେ ଚିନ୍ତିତ ରହୁଥିଲେ ବୋଲି ଲୁହଭରା କଣ୍ଠରେ ରିଟୁଲ ପ୍ରକାଶ କରିଛନ୍ତି । ଆତଙ୍କବାଦୀମାନେ ରିଟୁଲଙ୍କ ସହ କମ୍ କଥାବାର୍ତ୍ତା କରିବା ସହ ଉତ୍ତମ ବ୍ୟବହାର କରୁଥିଲେ । ଏଥିସହ ଖାଇବା ଓ ଔଷଧ ମଧ୍ୟ ଯୋଗାଇ ଦେଉଥିଲେ । ରିଟୁଙ୍କ ସହିତ ଆତଙ୍କବାଦୀଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା । ଓଏନଜିସି ଆତଙ୍କବାଦୀଙ୍କର ସର୍ତ୍ତ ପୂରଣ କରିବା ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରିନିଆଯାଇଥିଲା ବୋଲି ଆତଙ୍କବାଦୀମାନେ କହିଥିବା ନେଇ ରିଟୁଲ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.