ପିଆଜ ଦର ଦେଖି ଆଖିରେ ଲୁହ! କିଲୋ ପିଛା ୭୦ ଟଙ୍କା

ଓଡ଼ିଶାରେ ପୁଣି ଥରେ ପିଆଜ ଦର ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ପିଆଜ ଦର କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି।

ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି ପିଆଜ ଦର। ଭୁବନେଶ୍ୱରରେ ଖୁଚୁରା ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଥିବାବେଳେ କିଛି ଦୋକାନରେ ଏହା ୭୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଭୁବନେଶ୍ୱରର କୁବେରପୁରୀ ହୋଲ୍‌ସେଲ୍ ବଜାରରେ ପୂର୍ବରୁ ଯେଉଁ ପିଆଜ କିଲୋ ପ୍ରତି ୨୦-୨୨ ଟଙ୍କାରେ ମିଳୁଥିଲା, ବର୍ତ୍ତମାନ ତାହା ୩୮-୪୨ ଟଙ୍କାରେ ବିକ୍ରି ହେଉଛି।

ହୋଲ୍‌ସେଲ୍ ଓ ଖୁଚୁରା ଦର ମଧ୍ୟରେ ବଡ଼ ବ୍ୟବଧାନକୁ ନେଇ ବ୍ୟବସାୟୀ ଏବଂ ଗ୍ରାହକମାନେ ଚିନ୍ତା ପ୍ରକାଶ କରିଛନ୍ତି। ବର୍ତ୍ତମାନର ହୋଲ୍‌ସେଲ୍ ଦର ଅନୁଯାୟୀ ଖୁଚୁରା ମୂଲ୍ୟ କିଲୋ ପ୍ରତି ୫୦ ଟଙ୍କା ଅତିକ୍ରମ କରିବା କଥା ନୁହେଁ। ମାତ୍ର ଅନେକ ଖୁଚୁରା ଦୋକାନରେ ପିଆଜ ୬୦-୭୦ ଟଙ୍କାରେ ବିକ୍ରି ହେଉଥିବାରୁ କିଛି ସ୍ଥାନରେ ଦର ପାର୍ଥକ୍ୟ ପ୍ରାୟ ୨୮ ଟଙ୍କା ପର୍ଯ୍ୟନ୍ତ ରହୁଛି। ତେଣୁ ଅଧିକ ଦରରୁ ରକ୍ଷା ପାଇବା ଏବଂ ବଢ଼ୁଥିବା ଖୁଚୁରା ଦରକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାହକମାନେ ସରକାର ଓ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ଯେ ବେଙ୍ଗାଲୁରୁରୁ ପିଆଜ ଯୋଗାଣ ବୃଦ୍ଧି ପାଇଲେ ଦର କମିପାରେ। କିନ୍ତୁ ଚଳିତ ଥର ବେଙ୍ଗାଲୁରୁରେ ପିଆଜ ଫସଲ ନଷ୍ଟ ହୋଇଥିବାରୁ ଓଡ଼ିଶାକୁ ନୂଆ ପିଆଜ ଆସିବା ସମ୍ଭାବନା କମ ବୋଲି ସେ କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଯଦି ବେଙ୍ଗାଲୁରୁ ପିଆଜ ନ ଆସେ, ତେବେ ଡିସେମ୍ବର ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅଧିକ ଦରରେ ପିଆଜ କିଣିବାକୁ ପଡ଼ିପାରେ।

କେବଳ ଭୁବନେଶ୍ୱର କିମ୍ବା ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ପିଆଜ ଦର ବଢ଼ିବାରେ ଲାଗିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ନିଜର ଜମା ପାଣ୍ଠି (ବଫର ଷ୍ଟକ୍‌)ରୁ ପିଆଜ ବାହାର କରି ‘ନାଫେଡ୍’ (NAFED) ଏବଂ ‘ନିସିଏଫ୍’ (NCCF) ମାଧ୍ୟମରେ କିଲୋ ପ୍ରତି ୩୫ ଟଙ୍କା ସବ୍‌ସିଡି ଦରରେ ବିକ୍ରି କରୁଛନ୍ତି। ଏପର୍ଯ୍ୟନ୍ତ ୧୭ଟି ସହରରେ ପ୍ରାୟ ୪,୦୦୦ ଟନ୍ ପିଆଜରିହାତି ଦରରେ ବିକ୍ରି ହୋଇସାରିଛି।

ସରକାର ‘କାନ୍ଦା ଏକ୍ସପ୍ରେସ୍’ ଜରିଆରେ ଦିଲ୍ଲୀ ଏବଂ ଚେନ୍ନାଇ ଭଳି ସହରକୁ ମଧ୍ୟ ପିଆଜ ପଠାଇଛନ୍ତି। ତଥାପି, ଏହି ସବୁ ପଦକ୍ଷେପ ଗ୍ରହଣ କରାଯିବାର ଗୋଟିଏ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ବଢ଼ୁଥିବା ଦରରୁ ଗ୍ରାହକମାନେ ଆଶାନୁରୂପ ଆଶ୍ୱସ୍ତି ପାଇପାରି ନାହାନ୍ତି।