ONTHHPCର କ୍ୟାଡେଟ ଏଙ୍ଗିଲ ହର୍ଷା ରାଣୀ ମିଞ୍ଜ ଭାରତୀୟ ଜୁନିୟର ମହିଳା ହକି ଦଳରେ ସ୍ଥାନ ପାଇଲେ
ଏଙ୍ଗିଲଙ୍କ ଏହି ଚୟନ ONTHHPC ପାଇଁ ଏକ ବଡ଼ ସଫଳତା। ଭାରତୀୟ ଜାତୀୟ ହକି ଦଳ ଗୁଡ଼ିକର ବିକାଶରେ ଏହି କେନ୍ଦ୍ରର ବଢ଼ୁଥିବା ଅବଦାନକୁ ମଧ୍ୟ ଏହା ପ୍ରମାଣିତ କରୁଛି
ଭୁବନେଶ୍ୱର: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ONTHHPC)ର ଗୋଲକିପର ଏଙ୍ଗିଲ ହର୍ଷା ରାଣୀ ମିଞ୍ଜଙ୍କୁ ୨୦ ଜଣିଆ ଭାରତୀୟ ମହିଳା ଜୁନିଅର ହକି ଦଳରେ ସ୍ଥାନ ମିଳିଛି। ଚୀନ୍ର ମୋକିରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ ହକି ଫେଡେରେସନ୍(ଏଏଚ୍ଏଫ୍) ମହିଳା ଜୁନିଅର ଏସିଆ କପରେ ସେ ଭାରତ ପକ୍ଷରୁ ଖେଳିବେ।
ଏଙ୍ଗିଲଙ୍କ ଏହି ଚୟନ ONTHHPC ପାଇଁ ଏକ ବଡ଼ ସଫଳତା। ଭାରତୀୟ ଜାତୀୟ ହକି ଦଳ ଗୁଡ଼ିକର ବିକାଶରେ ଏହି କେନ୍ଦ୍ରର ବଢ଼ୁଥିବା ଅବଦାନକୁ ମଧ୍ୟ ଏହା ପ୍ରମାଣିତ କରୁଛି। ଯୁବ ଗୋଲକିପର ଏଙ୍ଗିଲ ନିଜର ଧୈର୍ଯ୍ୟ, ଚପଳତା ଓ ନିରନ୍ତର ପ୍ରଦର୍ଶନ ଦ୍ୱାରା ପ୍ରଭାବିତ କରିଆସିଛନ୍ତି। ONTHHPCର ଉଚ୍ଚସ୍ତରୀୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ମାଧ୍ୟମରେ ସେ ଧୀରେ ଧୀରେ ନିଜ ଖେଳକୁ ଉନ୍ନତ କରିଛନ୍ତି।
ଏଏଚ୍ଏଫ୍ ମହିଳା ଜୁନିଅର ଏସିଆ କପ ଜୁନିଅର ହକିର ଏକ ପ୍ରମୁଖ ମହାଦେଶୀୟ ପ୍ରତିଯୋଗିତା। ଏଥିରେ ଏସିଆର ବିଭିନ୍ନ ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରନ୍ତି। ଏହି ଚାମ୍ପିଅନ୍ସିପ୍ ଯୁବ ଭାରତୀୟ ଦଳକୁ ଆନ୍ତର୍ଜାତୀୟ ଅଭିଜ୍ଞତା ହାସଲ କରିବା ସହ ଜୁନିଅର ହକିର ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ।
ଏଙ୍ଗିଲଙ୍କ ଚୟନ ପାଇଁ ଅଭିନନ୍ଦନ ଜଣାଇ ONTHHPCର ପ୍ରକଳ୍ପ ନିର୍ଦ୍ଦେଶକ ଗୁରମିତ ସିଂହ ରାଓ କହିଛନ୍ତି, “ଏଙ୍ଗିଲଙ୍କ ଭାରତୀୟ ଦଳରେ ଚୟନ ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ତାଙ୍କ ଯାତ୍ରା ତାଙ୍କ ପରିଶ୍ରମ, ଶୃଙ୍ଖଳା ଓ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରେ। ଏହା ଯୁବ କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରତିଯୋଗିତାମୂଳକ ଅଭିଜ୍ଞତା ଦେବାର ଗୁରୁତ୍ୱକୁ ମଧ୍ୟ ଦର୍ଶାଏ। ଆମେ ଏଙ୍ଗିଲ ଓ ଭାରତୀୟ ଦଳକୁ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଉଛୁ ଏବଂ ସେମାନେ ସଫଳ ଅଭିଯାନ କରିବେ ବୋଲି ଆଶା କରୁଛୁ।”
ଏଙ୍ଗିଲଙ୍କ ଚୟନ ଯୁବ ହକି ଖେଳାଳିଙ୍କୁ ବିକଶିତ କରିବା ଏବଂ ଉଚ୍ଚସ୍ତରୀୟ ପ୍ରଶିକ୍ଷଣରୁ ଜାତୀୟସ୍ତରୀୟ ପ୍ରତିଯୋଗିତା ପର୍ଯ୍ୟନ୍ତ ଏକ ସୁଦୃଢ଼ ପଥ ସୃଷ୍ଟି କରିବାରେ ONTHHPCର ଭୂମିକାକୁ ଆହୁରି ମଜବୁତ କରିଛି।
ହକି ଏସ ଫାଉଣ୍ଡେସନର ଅଂଶ ଭାବେ ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟସ୍ର ମିଳିତ ପଦକ୍ଷେପ ONTHHPC ଓଡ଼ିଶା ସରକାରଙ୍କ ସହଭାଗିତାରେ ଜାମସେଦପୁର ସ୍ଥିତ ନାଭାଲ ଟାଟା ହକି ଏକାଡେମୀ ସହ ମିଶି ପ୍ରତିଭାବାନ ହକି ଖେଳାଳିଙ୍କୁ ଚିହ୍ନଟ ଓ ପ୍ରତିପାଳନ କରୁଛି। ବିଶେଷଜ୍ଞ ପ୍ରଶିକ୍ଷଣ, ରଣନୀତିମୂଳକ ବିକାଶ, ଭିଡିଓ ବିଶ୍ଳେଷଣ ଏବଂ ସମଗ୍ର କ୍ରୀଡ଼ାବିତ୍ ବିକାଶ ମାଧ୍ୟମରେ ଫାଉଣ୍ଡେସନ ଯୁବ ଖେଳାଳିଙ୍କୁ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ସହ ଭାରତୀୟ ଜାତୀୟ ଦଳ ପାଇଁ ପ୍ରତିଭାର ଧାରାକୁ ମଜବୁତ କରିବାର ଲକ୍ଷ୍ୟ ରଖିଛି।
ONTHHPC ପକ୍ଷରୁ ଏଙ୍ଗିଲ୍ ହର୍ଷା ରାଣୀ ମିଞ୍ଜଙ୍କୁ ତାଙ୍କ ଚୟନ ପାଇଁ ଅଭିନନ୍ଦନ ଜଣାଇବା ସହ ଚୀନ୍ର ମୋକିରେ ହେବାକୁ ଥିବା ଏଏଚ୍ଏଫ୍ ମହିଳା ଜୁନିଅର ଏସିଆ କପ୍ ୨୦୨୬ରେ ଭାରତୀୟ ମହିଳା ଜୁନିଅର ହକି ଦଳର ସଫଳତା କାମନା କରାଯାଇଛି।


