OPSC Recruitment 2026: ବଡ଼ଧରଣର ନିଯୁକ୍ତି ସୁଯୋଗ, ୭୫୮ପଦ ଖାଲି, ଅକ୍ଟୋବର ୨୨ରୁ ଆବେଦନ

OPSC Recruitment 2026: ବଡ଼ଧରଣର ନିଯୁକ୍ତି ସୁଯୋଗ

ଭୁବନେଶ୍ଵର: ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ଇଞ୍ଜିନିୟରିଂ ଡିଗ୍ରୀଧାରୀଙ୍କ ପାଇଁ ଭଲ ସୁଯୋଗ। ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ପଦବୀରେ ମୋଟ ୭୫୮ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସର ଗ୍ରୁପ୍-ଏ କ୍ୟାଡର ଅଧୀନରେ କରାଯିବ। ଆବେଦନ ପ୍ରକ୍ରିୟା ୨୨ ଅକ୍ଟୋବର ୨୦୨୬ରୁ ଆରମ୍ଭ ହେବ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ।

OPSCର ବିଜ୍ଞାପନ ସଂଖ୍ୟା ୧୩/୨୦୨୬-୨୭ ଅନୁଯାୟୀ, ମୋଟ ୭୫୮ଟି ପଦବୀ ମଧ୍ୟରୁ ୭୫୦ଟି ସିଭିଲ୍ ଇଞ୍ଜିନିୟରିଂ ଏବଂ ୮ଟି ମେକାନିକାଲ୍ ଇଞ୍ଜିନିୟରିଂ ପାଇଁ ରହିଛି।

ପଦବୀ ଅନୁଯାୟୀ ଖାଲି ସ୍ଥାନ

  • ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (ସିଭିଲ୍): ୭୫୦ଟି ପଦବୀ
  • ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (ମେକାନିକାଲ୍): ୮ଟି ପଦବୀ
  • ମୋଟ ପଦବୀ: ୭୫୮ଟି

ମହିଳାଙ୍କ ପାଇଁ ମଧ୍ୟ ରହିଛି ସଂରକ୍ଷଣ: ଏହି ନିଯୁକ୍ତିରେ ମହିଳା ପ୍ରାର୍ଥୀଙ୍କ ପାଇଁ ମଧ୍ୟ ପଦବୀ ସଂରକ୍ଷିତ ରହିଛି। ସିଭିଲ୍ ଇଞ୍ଜିନିୟରିଂର ୭୫୦ଟି ପଦବୀ ମଧ୍ୟରୁ ୨୪୭ଟି ଏବଂ ମେକାନିକାଲ୍ ଇଞ୍ଜିନିୟରିଂର ୮ଟି ପଦବୀ ମଧ୍ୟରୁ ୩ଟି ମହିଳାଙ୍କ ପାଇଁ ନିର୍ଦ୍ଧାରିତ ହୋଇଛି।

ସିଭିଲ୍ ଇଞ୍ଜିନିୟରିଂ ପଦବୀର ବର୍ଗଭିତ୍ତିକ ବଣ୍ଟନ ଅନୁଯାୟୀ:

  • ସାଧାରଣ ବର୍ଗ (UR): ୩୭୪ଟି ପଦବୀ, ଏଥିରୁ ମହିଳାଙ୍କ ପାଇଁ ୧୨୨ଟି
  • SEBC: ୬୧ଟି ପଦବୀ, ଏଥିରୁ ମହିଳାଙ୍କ ପାଇଁ ୨୧ଟି
  • ଅନୁସୂଚିତ ଜାତି (SC): ୮୩ଟି ପଦବୀ, ଏଥିରୁ ମହିଳାଙ୍କ ପାଇଁ ୨୮ଟି
  • ଅନୁସୂଚିତ ଜନଜାତି (ST): ୨୩୨ଟି ପଦବୀ, ଏଥିରୁ ମହିଳାଙ୍କ ପାଇଁ ୭୬ଟି

ପ୍ରାର୍ଥୀମାନେ ବର୍ଗଭିତ୍ତିକ ଖାଲି ପଦବୀ ଓ ସଂରକ୍ଷଣ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଯାଞ୍ଚ କରିପାରିବେ।

ଆବେଦନ ପାଇଁ ବୟସ ସୀମା: ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୪୨ ବର୍ଷ ରଖାଯାଇଛି। ବୟସ ଗଣନା ୧ ଜାନୁଆରୀ ୨୦୨୬କୁ ଆଧାର କରି କରାଯିବ।

ଏହି ହିସାବରେ ପ୍ରାର୍ଥୀଙ୍କ ଜନ୍ମ ୨ ଜାନୁଆରୀ ୧୯୮୪ରୁ ପୂର୍ବରୁ ଏବଂ ୧ ଜାନୁଆରୀ ୨୦୦୫ ପରେ ହୋଇନଥିବା ଆବଶ୍ୟକ। ସଂରକ୍ଷିତ ବର୍ଗ, ମହିଳା, ପୂର୍ବତନ ସୈନିକ ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ରିହାତି ମିଳିପାରିବ।

GATE ସ୍କୋର ଓ ସାକ୍ଷାତ୍‌କାର ଆଧାରରେ ଚୟନ: ଏହି ନିଯୁକ୍ତି ପାଇଁ ପୃଥକ ଲିଖିତ ପରୀକ୍ଷା ପରିବର୍ତ୍ତେ ସମ୍ପୃକ୍ତ ଇଞ୍ଜିନିୟରିଂ ବିଭାଗର ବୈଧ GATE ସ୍କୋର ଏବଂ ସାକ୍ଷାତ୍‌କାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଚୟନ ପ୍ରକ୍ରିୟାରେ GATE ସ୍କୋରକୁ ୯୦ ପ୍ରତିଶତ ଏବଂ ସାକ୍ଷାତ୍‌କାରକୁ ୧୦ ପ୍ରତିଶତ ଗୁରୁତ୍ୱ ଦିଆଯିବ। ବର୍ଗଭିତ୍ତିକ ଖାଲି ପଦବୀ ତୁଳନାରେ ପ୍ରାୟ ଦୁଇଗୁଣ ପ୍ରାର୍ଥୀଙ୍କୁ ସାକ୍ଷାତ୍‌କାର ପାଇଁ ଡକାଯାଇପାରେ।

ପ୍ରାର୍ଥୀମାନେ ନିଜ ଇଞ୍ଜିନିୟରିଂ ବିଭାଗ ସହ ମେଳ ଖାଉଥିବା ବୈଧ GATE ସ୍କୋର ଏବଂ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କରେ ଅଫିସିଆଲ୍ ବିଜ୍ଞପ୍ତିର ନିୟମ ଭଲଭାବେ ପଢ଼ିବା ଆବଶ୍ୟକ।

କିପରି କରିବେ ଅନଲାଇନ୍ ଆବେଦନ: ଯୋଗ୍ୟ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବସାଇଟ୍ www.opsc.gov.in ମାଧ୍ୟମରେ ଆବେଦନ କରିପାରିବେ।

  • ପ୍ରଥମେ OPSCର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ।
  • Assistant Executive Engineer Recruitment 2026 ସମ୍ପର୍କିତ ବିଜ୍ଞପ୍ତି ଖୋଲି ସମସ୍ତ ନିୟମ ପଢ଼ନ୍ତୁ।
  • ୨୨ ଅକ୍ଟୋବର ୨୦୨୬ରୁ ଅନଲାଇନ୍ ଆବେଦନ ଫର୍ମ ପୂରଣ କରନ୍ତୁ।
  • ନିଜ ଇଞ୍ଜିନିୟରିଂ ବିଭାଗ ଅନୁଯାୟୀ ପଦବୀ ଚୟନ କରି ଆବଶ୍ୟକ ଶିକ୍ଷାଗତ ତଥ୍ୟ ଦିଅନ୍ତୁ।
  • ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ଦସ୍ତାବିଜ, ପ୍ରମାଣପତ୍ର ଓ GATE ସ୍କୋର ସମ୍ପର୍କିତ ତଥ୍ୟ ଦାଖଲ କରନ୍ତୁ।
  • ଆବେଦନ ଫର୍ମରେ ଥିବା ସମସ୍ତ ତଥ୍ୟ ଯାଞ୍ଚ କରି ଫର୍ମ ସବମିଟ୍ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ: ଅନଲାଇନ୍ ଆବେଦନ ୨୨ ଅକ୍ଟୋବର ୨୦୨୬ରୁ ଆରମ୍ଭ ହେବ ଏବଂ ୧୧ ନଭେମ୍ବର ୨୦୨୬ରେ ଶେଷ ହେବ। ଶେଷ ତାରିଖ ଓ ଅନ୍ୟାନ୍ୟ ସର୍ତ୍ତ ସମ୍ପର୍କରେ OPSCର ଅଫିସିଆଲ୍ ବିଜ୍ଞପ୍ତିକୁ ଅନ୍ତିମ ଆଧାର ଭାବେ ଗ୍ରହଣ କରନ୍ତୁ।