ରାମ ମହାପାତ୍ର ହେବେ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି!
ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛି।
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି। ଅଗଷ୍ଟ ୬, ୨୦୨୬ରେ ହୋଇଥିବା କଲେଜିୟମ ବୈଠକରେ ଏହି ସୁପାରିସ କରାଯାଇଥିଲା। ଅଗଷ୍ଟ ୩୧ ତାରିଖରେ ସୁପ୍ରିମକୋର୍ଟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି।
ଛତିଶଗଡ଼ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ସେପ୍ଟେମ୍ବର ୪, ୨୦୨୬ରେ ଅବସର ନେବେ। ତାଙ୍କ ଅବସର ପରେ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କ ନାମ ସୁପାରିସ କରାଯାଇଛି।
ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ର ୨୦୧୫ ଏପ୍ରିଲ ୧୭ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ୧୯୮୮ ଫେବ୍ରୁଆରୀ ୭ ତାରିଖରେ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲରେ ଓକିଲ ଭାବେ ପଞ୍ଜୀକୃତ ହୋଇଥିଲେ। ଆଇନ କ୍ଷେତ୍ରରେ ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସେ ଦେୱାନୀ, ଫୌଜଦାରୀ, ସର୍ଭିସ୍ ଏବଂ ସମ୍ବିଧାନିକ ମାମଲା ସମେତ ବିଭିନ୍ନ ଆଇନ କ୍ଷେତ୍ରରେ କାମ କରିଛନ୍ତି।
ହାଇକୋର୍ଟର ବିଚାରପତି ହେବା ପୂର୍ବରୁ ଜଷ୍ଟିସ୍ ମହାପାତ୍ର ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗ (OPSC)ର ଅତିରିକ୍ତ ସ୍ଥାୟୀ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ସୁପ୍ରିମକୋର୍ଟ କଲେଜିୟମର ଏହି ସୁପାରିସ ମଞ୍ଜୁର ହେଲେ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ର ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ।


