fbpx

ରାତି ପାହିଲେ ରଜ: ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱୀଲ୍‌’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱୀଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ । ଗତବର୍ଷ ଭଳି ଏଥର ମଧ୍ୟ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ସୁସ୍ୱାଦୁ ପିଠା ଯୋଗାଇ ଦିଆଯିବ । ଓଡ଼ିଶାର ଏହି ସାଂସ୍କୃତିକ ଗଣପର୍ବ ରଜ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ବିଶେଷକରି ମା’, ଝିଅମାନେ ଓ ଓଟିଡିସି କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ମିଳିବ। ମାଷ୍ଟରକ୍ୟାଣ୍ଟିନ ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପଟିଆ ଛକ, ଚନ୍ଦ୍ରଶେଖର ପୁର ଓ ରୂପାଲି ଛକରେ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିୁଲ୍‌’ ମାଧ୍ୟମରେ ଏହି ପିଠା ବିକ୍ରି କରାଯିବ। ଏଠାରେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାସ୍କ ଉପଲବ୍ଧ ହେବ । ତେବେ ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ ।

ଏହି ସମୟରେ ସେ କହିଛନ୍ତି ଯେ, ରଜ ଓଡ଼ିଶାର ସାଂସ୍କୃତିକ ଗଣପର୍ବ । ବସୁଧା, ପ୍ରକୃତି ଓ ନାରୀଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଅନନ୍ୟ ପରମ୍ପରା । ସମାଜ ପାଇଁ ନାରୀର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବାର ପର୍ବ । ରଜପର୍ବ ପାଳନ ଅବସରରେ ଓଟିଡିସିର ପାନ୍ଥନିବାସ ଓ ମିଶନ ଶକ୍ତି ମା’ମାନଙ୍କ ସହାୟତାରେ ଆୟୋଜନ କରାଯାଉଥିବା ‘ପିଠା ଅନ୍ ହ୍ୱିଲ୍‌’ ଉପକ୍ରମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହିତ କୋଭିଡ୍‌-୧୯ କଟକଣାକୁ ମାନି ସାଧାରଣ ଲୋକଙ୍କ ନିକଟରେ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ପହଞ୍ଚାଇବାକୁ ପାନ୍ଥନିବାସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପାନ୍ଥନିବାସ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି । ଏହି ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବର ଓଟିଡିସି ସୋସିଆଲ ମିଡିଆ ପେଜ୍‌ରେ ମଧ୍ୟ ଉପଲବ୍ଧ ଅଛି ।

Get real time updates directly on you device, subscribe now.