fbpx

କାଲି ପଦ୍ମପୁର ଫଳାଫଳ:ବିଜୟର ଟୀକା ପିନ୍ଧି ଗାଁ ବାସୀଙ୍କ ଦୁଃଖ ଦୂର କରିବେ କି ପଦ୍ମପୁରର ଟୁକେଲ?

ଭୁବନେଶ୍ୱର:ବିଜେଡି ବିଧାୟକ ବିଜୟ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ପଦ୍ମପୁରରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଲା । ଉପନିର୍ବାଚନ ହାତେଇବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କଲେ । ବିଜେଡି ପକ୍ଷରୁ ଅନୁକମ୍ପା ଭୋଟ ହାତେଇବା ପାଇଁ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଲୋକପ୍ରିୟ ନେତା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଲା, ଆଉ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କ ନାମରେ ମୋହର ମାରିଲା । ବାସ ଏହା ପରଠାରୁ ଆରମ୍ଭ ହେଲା ନିର୍ବାଚନୀ ଫାଇଟ ।

ମୈଦାନ ରେଡି ଥିଲା ବାସ ଜନତାଙ୍କର ସମର୍ଥନ ହାତେଇବା ପାଇଁ ନିର୍ବାଚନ ପଡିଆକୁ ଓହ୍ଲାଇଲେ ହେଭିୱେଟ ନେତା । କେନ୍ଦ୍ର ବନାମ ରାଜ୍ୟରେ ବିଭିନ୍ନ ଷ୍ଟାର ପ୍ରଚାରକ ପ୍ରଚାର ସହିତ ପ୍ରତିଶୃତିର ବର୍ଷ କରିଲେ । ଯେଉଁଠାରେ ବିଜେପି ପକ୍ଷରୁ ୫ଜଣ କେନ୍ଦ୍ର ମନ୍ତ୍ରୀ ମୈଦାନରେ ପ୍ରଚାର କରିଥିଲେ ସେଠାରେ ବିଜେଡି ପକ୍ଷରୁ ପ୍ରଥମ ଥର ପାଇଁ ଉପନିର୍ବାଚନରେ ଭୋଟ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ପ୍ରଚାରରେ ସାରା ପଦ୍ମପୁର ଦୋହଲି ଉଠିଲା ଏହା ସହିତ ବହୁ ଦିନରୁ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ପାଇଁ ଯେଉଁ ଦାବି ଜୋର ଧରିଥିଲା ତାହାକୁ ନେଇ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ଦେଲେ । କେବଳ ଏତିକି ନୁହେଁ କେନ୍ଦ୍ରରୁ ଚାଷୀ ମାନଙ୍କୁ ତୁରନ୍ତ ସବସିଡି ଯୋଗାଇ ଦେବାକୁ ମଧ୍ୟ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଆଦେଶ ଦେଲେ । ପଦ୍ମପୁରରେ ମୁଖ୍ୟତଃ ଯେଉଁ ସମସ୍ୟା ରହିଥିଲା ତାହାକୁ ଦୂର କରିବା ପାଇଁ ସବୁ ରାଜନୈତିକ ଦଳ ସେମାନଙ୍କର ଶୈଳୀରେ ରଣନୀତି ଆପଣେଇଲେ । କିନ୍ତୁ ଏହା ଭିତରେ ଚୁପ ବସିଥିଲା କଂଗ୍ରେସ । ପ୍ରାର୍ଥୀ ଦେଲା ସତ କିନ୍ତୁ ଯେଉଁ ଜୋସରେ ବିଜେଡି ଆଉ ବିଜେପି ଲଢ଼ୁଥିଲେ ତାହା କଂଗ୍ରେସ ଦଳରେ ଦେଖିବାକୁ ମିଳିଲା ନାହିଁ । ଫଳ ସ୍ୱରୁପ ଯେଉଁ କଂଗ୍ରେସ ନେତା ମାନେ ଉକ୍ତ ବାଢ଼ୁଥିଲେ ଯେ ସେମାନେ ଏଥର ଭଲ ପ୍ରଦର୍ଶନ କରିଛନ୍ତି ଏବେ ନିଜ ଆଡୁ ହାତ ଟେକି ଦେଇଛନ୍ତି ଯେ କଂଗ୍ରେସ ନିଜର ହାର ସ୍ୱୀକାର କରୁଛି ।ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଜିତିବ ନାହିଁ ଆମେ କିନ୍ତୁ ନିଜ ହିସାବରେ ଭଲ ପ୍ରଦର୍ଶନ କରିଛୁ ।

ସେପଟେ ବିଜେଡି ନେତା ମାନଙ୍କୁ ଆଜି ସୁପ୍ରିମୋଙ୍କ ଡାକରା ମିଳିଥିଲା । ସମସ୍ତଙ୍କୁ ନିଜ ନିଜର ରିପୋର୍ଟ କାର୍ଡ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଏହି ରିପୋର୍ଟର ଆକଳନରେ ବିଜେଡି କହୁଛି ଯେ ଆମେ ନିଶ୍ଚୟ ଜିତିବୁ। ବରଗଡ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସୁଧୀର ସାମଲ କହିଛନ୍ତି ଆମର ବିଜୟ ସୁନିଶ୍ଚନ୍ତ । ତେବେ ବିଜେଡି ଏହାପୂର୍ବରୁ ହୋଇଥିବା ଧାମନଗର ଉପନିର୍ବାଚନ ହାରିବା ପରେ ଜିତିବାର ଟ୍ରାକରେ ଯେଉଁ ଫାଟ ପଡିଛି ତାହାକୁ ଠିକ କରି ପୁଣି ଥରେ ଟ୍ରାକକୁ ଫେରିବା ପାଇଁ ବହୁ ମାନସମନ୍ଥନ କରିଥିଲା । ସେଥିପାଇଁ ପ୍ରଥମରୁ ହିଁ ମହିଳା ସହ ଅନୁକମ୍ପା କାର୍ଡ ଖେଳିଥିଲା ବିଜେଡି । ବିଜୟ ବରିହାଙ୍କ ଝିଅଙ୍କୁ ଟିକେଟ ଦେଇ ନିଜର ଚାଲ ରଚିଥିଲା । ଏହାପରେ ନେତା ମାନଙ୍କ ଲିଷ୍ଟରେ ମଧ୍ୟ ଉପର ତଳ କରିଲା । ପଶ୍ଚିମା ନେତା ମାନଙ୍କୁ ହାଇଲାଇଟ କରିବା ସହ ଗୁରୁ ଦାୟିତ୍ୱ ତାଙ୍କ ହାତରେ ଟେକି ଦେଲା ।

ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାରେ ୧୦ ମନ୍ତ୍ରୀଙ୍କ ସମେତ ୩ ଜଣ ଅଭିନେତା କୁ ମିଶାଇ ମୋଟ ୪୦ ଜଣଙ୍କ ନାମ ଘୋଷଣା କରିଲା । ତାଲିକାର ଶୀର୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମ ରଖିବା ସହ ତାଙ୍କୁ ମୈଦାନଙ୍କୁ ଓହ୍ଲାଇଲା । ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଜନତାଙ୍କ ମନକୁ ମଧ୍ୟ ଛୁଇଁଲା । ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରିବା ସହିତ ପ୍ରଥମଥର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରି କହିଲେ । ଯାହାକି ଲୋକମାନଙ୍କ ମନରେ ଏକ ଭଲ ଛାପ ଛାଡିଲା । ଆଉ ଏମିତି କହିବାକୁ ଗଲେ ଓଡିଶାରେ ନବୀନଙ୍କର ଟିକିଏ ଅଲଗା କ୍ରେଜ ରହିଛି।

ଆଉ ମୁଖ୍ୟମନ୍ତ୍ରୀଙ୍କ ବର୍ଷା ପାଇଁ ଭୋଟ ମଧ୍ୟ ମାଗିଲେ । କହିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ଆସିବା ଠାରୁ ଆରମ୍ଭ କରି ପ୍ରଚାର ପୂର୍ବରୁ ଦାୟିତ୍ୱ ବଣ୍ଟନ , ମନ୍ତ୍ରୀ ମାନଙ୍କୁ ଗ୍ରାଉଣ୍ଡକୁ ପଠାଇ ଲୋକମାନଙ୍କ ସମସ୍ୟାକୁ ବୁଝିବା ଏହାପରେ ରିପୋର୍ଟକାର୍ଡ ପ୍ରଦାନ କରିବା ଏହା ବିଜେଡିର ଏକ ସୁପରିଚାଳିତ ରଣକୌଶଳ କହିଲେ ଅତ୍ୟୁତି ହେବ ନାହିଁ । ତେଣୁ ବର୍ତ୍ତମାନର ସ୍ଥିତିକୁ ଦେଖି ଯାହା ଲାଗୁଛି ଚଳିତ ଥର ବିଜେଡି ଯେଉଁ ପ୍ଲାନ କରିଛି ହୁଏତ ସେଥିରେ ସେ ଉତ୍ତୀର୍ଣ୍ଣ ହୋଇପାରେ । ଏହା ସହିତ ବର୍ଷାଙ୍କୁ ତାଙ୍କ ବାପାଙ୍କ ସ୍ଥାନ ମିଳିପାରେ । ଶାଶୁଘର ବନାମ ବାପଘର ବୋଲି ଯେଉଁ ଉକ୍ତି ଶୁଣିବାକୁ ମିଳୁଥିଲା ହୁଏତ ବର୍ଷା ଏଥର ଝିଅର ଭୂମିକା ପାଳନ କରିବାରେ ସଫଳ ହୋଇ ପାରନ୍ତି ।

ତେବେ ଆସନ୍ତା କାଲି ପଦ୍ମପୁର ଫଳାଫଳ ସର୍ବ ସମୁଖରେ ପରିପ୍ରକାଶ ହେବ । କିଏ ବାଜି ମାରିବ ତାହାତ ଇଭିଏମ ଖୋଲିବା ପରେ ଜଣା ପଡିବ । ପଦ୍ମପୁରରେ ପଦ୍ମଫୁଟିବ ନା ପୁଣି ଥରେ ଶଙ୍ଖରଧ୍ୱନୀ କମ୍ପିବ ତାହା କାଲି ସମସ୍ତଙ୍କୁ ଜଣାପଡିଯିବ ।

Get real time updates directly on you device, subscribe now.