ପାକିସ୍ତାନରେ ଏସବୁ ଚାଲିଛି କ’ଣ.. ହାଇକୋର୍ଟ ବିଚାରପତି ନିଯୁକ୍ତିକୁ ନେଇ ମହାମୁହାଁ ଜର୍ଦ୍ଦାରୀ-ସରିଫ୍, ବଢ଼ିଲା ବିବାଦ
ପାକିସ୍ତାନରେ ଏସବୁ ଚାଲିଛି କ’ଣ.. ହାଇକୋର୍ଟ ବିଚାରପତି ନିଯୁକ୍ତିକୁ ନେଇ ମହାମୁହାଁ ଜର୍ଦ୍ଦାରୀ-ସରିଫ୍
ଓଡ଼ିଶା ଭାସ୍କର ଡେସ୍କ: ପାକିସ୍ତାନରେ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଏବଂ ସଂଘୀୟ ସରକାରଙ୍କ ମଧ୍ୟରେ ସିଧାସଳଖ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ‘ଡନ୍’ର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଆନୁଷ୍ଠାନିକ ମଞ୍ଜୁରୀ ବିନା ସରକାର ବିଚାରପତିଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିବାକୁ ବିଚାର କରୁଛନ୍ତି।
ଜୁଲାଇ ମାସରେ ‘ଜୁଡିସିଆଲ୍ କମିଶନ୍ ଅଫ୍ ପାକିସ୍ତାନ’ ହାଇକୋର୍ଟରେ ୧୯ ଜଣ ଅତିରିକ୍ତ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ। ଏହାସହ ପେଶାୱାର ହାଇକୋର୍ଟର ୪ ଜଣ ଏବଂ ଲାହୋର ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଙ୍କ ଚାକିରି ସ୍ଥାୟୀ କରିବା ଏବଂ ସିନ୍ଧ ହାଇକୋର୍ଟର ଜଣେ ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ରାଷ୍ଟ୍ରପତି ଜର୍ଦ୍ଦାରୀ ଏପର୍ଯ୍ୟନ୍ତ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇନାହାନ୍ତି, ଯାହାଫଳରେ ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିପାରି ନାହିଁ।
ଦୁଇ ସପ୍ତାହର ଥିଲା ସମୟସୀମା: ସରକାରୀ ସୂତ୍ର ଅନୁଯାୟୀ, ସମ୍ବିଧାନର ଅନୁଚ୍ଛେଦ ୪୮(୧) ଅଧୀନରେ ପ୍ରସ୍ତାବ ମିଳିବାର ଦୁଇ ସପ୍ତାହ ମଧ୍ୟରେ ରାଷ୍ଟ୍ରପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ସମୟସୀମା ଅତିକ୍ରମ କରିସାରିଥିବାରୁ ସରକାର ନିଜେ ବିଜ୍ଞପ୍ତି ଜାରି କରିପାରନ୍ତି।
ଅନ୍ୟପଟେ ରାଷ୍ଟ୍ରପତି ଭବନ ସୂତ୍ରରୁ ସାବଧାନ କରାଯାଇଛି ଯେ, ସାମ୍ବିଧାନିକ ପ୍ରକ୍ରିୟାକୁ ଏଡ଼ାଇବା ଦ୍ୱାରା ନୂଆ ରାଜନୈତିକ ଓ ଆଇନଗତ ସଙ୍କଟ ସୃଷ୍ଟି ହୋଇପାରେ। ଏହି ସମସ୍ୟାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ୍।
ଏହି ବିଳମ୍ବର ପ୍ରଭାବ ପାକିସ୍ତାନ ନ୍ୟାୟପାଳିକା ଉପରେ ପଡ଼ିସାରିଛି। ପେଶାୱାର ହାଇକୋର୍ଟର ୪ ଜଣ ଅତିରିକ୍ତ ବିଚାରପତି ଅଗଷ୍ଟ ୪ ରେ କାର୍ଯ୍ୟକାଳ ଶେଷ ହେବା ପରେ ପଦ ଛାଡ଼ିସାରିଛନ୍ତି। ସିନ୍ଧ ହାଇକୋର୍ଟର ଜଣେ ବିଚାରପତି ଜୁଲାଇ ୨୯ ରେ ଅବସର ନେଇଛନ୍ତି।
କୋର୍ଟରେ ପହଞ୍ଚିଲା ମାମଲା: ଇସଲାମାବାଦ ହାଇକୋର୍ଟରେ ଏହି ବିଳମ୍ବ ବିରୋଧରେ ଓକିଲ ଲୁକମାନ୍ ଜଫର ଚୌଧୁରୀ ଏକ ଆବେଦନ ଦାଖଲ କରିଛନ୍ତି, ଯାହା ଉପରେ କୋର୍ଟ ରାୟ ସୁରକ୍ଷିତ ରଖିଛନ୍ତି। ସୁପାରିଶକୁ ତୁରନ୍ତ ଅନୁମୋଦନ କରିବାକୁ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି।
ବିଚାରପତି ଅରବାବ୍ ମହମ୍ମଦ ତାହିର ଏହି ଆବେଦନର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ସରକାର ଏହି ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିପାରନ୍ତି। ଅନ୍ୟପଟେ ପାକିସ୍ତାନ ଆଇନ ମନ୍ତ୍ରୀ ଅକୀଲ ମଲିକ କହିଛନ୍ତି ଯେ ସରକାର ସାମ୍ବିଧାନିକ ପରିସର ମଧ୍ୟରେ ଏହି ମାମଲାର ସମାଧାନ କରିବେ।


