ପାକିସ୍ତାନର ମିଛ ଧରାପଡ଼ିଲା; ବିଦେଶୀ ମିଡିଆକୁ ଅଟକାଇଲା
ସରକାରଙ୍କ ନୂଆ ବ୍ୟବସ୍ଥା ଅନୁସାରେ, ଏନ୍ଓସି ବିନା ବିଦେଶୀ ସାମ୍ବାଦିକମାନେ ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ରିପୋର୍ଟିଂ କରିପାରିବେ ନାହିଁ
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ନର ସଂହାର କରୁଛି ପାକିସ୍ତାନ। ନିଜ ହକ ପାଇଁ ଲଢ଼େଇ କରୁଥିବା ପିଓକେ ଲୋକଙ୍କୁ ହତ୍ୟା କରୁଛି। ସେମମାନଙ୍କ ମୃତଦେହ ଗାଏବ କରୁଛି।
ଏ ନେଇ ଖବର ସାମ୍ନାକୁ ଆସିବା ପରେ ସତ ଜାଣିବା ପାଇଁ ବିଦେଶୀ ଗଣମାଧ୍ୟମ ପିଓକେ ଯିବାକୁ ଚାହୁଁଛି। ହେଲେ ପାକିସ୍ତାନ ସରକାର ଓ ସେନା ସେମାନଙ୍କୁ ଯିବାକୁ ଦେଉନାହିଁ। ଯାହାଫଳରେ ବିଦେଶୀ ସାମ୍ବାଦିକମାନେ ଇସଲାମାବାଦ, ଲାହୋର ଓ କରାଚିରେ ରହିଛି ସରକାରୀ ରିପୋଟିଂ କରୁଥିବା ଜଣାପଡ଼ିଛି। ଯଦି କୌଣସି ବିଦେଶୀ ସାମ୍ବାଦିକ ଯିବେ, ତାହାହେଲେ ସେମାନଙ୍କୁ ସରକାରଙ୍କଠାରୁ ଏନ୍ଓସି(ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ) ନେବାକୁ ପଡ଼ିବ।
ସରକାରଙ୍କ ନୂଆ ବ୍ୟବସ୍ଥା ଅନୁସାରେ, ଏନ୍ଓସି ବିନା ବିଦେଶୀ ସାମ୍ବାଦିକମାନେ ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ରିପୋର୍ଟିଂ କରିପାରିବେ ନାହିଁ। ଏହାର ଅର୍ଥ କୌଣସି ସାମ୍ବାଦିକ ସ୍ୱାଧୀନ ଭାବେ ପିଓକେର ବାଲୋଚିସ୍ତାନ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ରିପୋର୍ଟିଂ କରିପାରିବେ ନାହିଁ। ସମାଲୋଚକଙ୍କ ମତରେ, ସତ ଲୁଚାଇବା ପାଇଁ ପାକିସ୍ତାନ ଏହି ପଥ ଆପଣାଇଛି। ଯାହାଦ୍ୱାରା ପିଓକେରେ ଘଟୁଥିବା ଘଟଣା ବିଶ୍ୱ ସମ୍ମୁଖକୁ ଆସିପାରିବ ନାହିଁ।
Uttarakhand Govt.
ପାକ ସରକାର ଓ ଅଲ୍ ଜଜିରା ମଧ୍ୟରେ ବିବାଦ କ’ଣ?: ଅଲ ଜଜିରା ପିଓକେରେ ସରକାର ବିରୋଧୀ ପ୍ରଦର୍ଶନ, ସୁରକ୍ଷା ବାହିନୀର କାର୍ୟ୍ୟକଳାପ ଓ ନିର୍ବାଚନ ସମ୍ପର୍କିତ ବିବାଦ ଉପରେ ଅନେକ ଗ୍ରାଉଣ୍ଡ ରିପୋର୍ଟ ପ୍ରସାରଣ କରିଥିଲା। ଏହା ପରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଭିଯୋଗ କରିଥିଲା ଯେ ଅଲ୍ ଜଜିରା ‘ଚୟନମୂଳକ ରିପୋର୍ଟିଂ’ କରିଛି। ନିର୍ବାଚନ ପ୍ରକ୍ରିୟାକୁ ଭୁଲ୍ ଭାବେ ଉପସ୍ଥାପନ କରିଛି। ଏହା ପରେ ପାକିସ୍ତାନରେ ଅଲ ଜଜିରାର ୱେବସାଇଟ ଓ ଡିଜିଟାଲ୍ ଉପରେ କଟକଣା ଲାଗିଛି।
ପାକିସ୍ତାନ ସରକାରଙ୍କ ଏହି ନୂଆ ନିଷ୍ପତ୍ତିକୁ ନେଇ ଗଣମାଧ୍ୟମ ଓ ମାନବାଧିକାର ସଂଗଠନମାନେ କହିଛନ୍ତି; ଏଭଳି ବ୍ୟବସ୍ଥା ଗଣମାଧ୍ୟମର ସ୍ୱାଧୀନତାକୁ ପ୍ରଭାବିତ କରିବ। ପ୍ରକୃତ ଘଟଣା ସାମ୍ନାକୁ ଆସି ପାରିବ ନାହିଁ।
ଅନ୍ୟପକ୍ଷରେ ପାକିସ୍ତାନ ସରକାର କହିଛନ୍ତି, ସୁରକ୍ଷା କାରଣ ଓ ସମ୍ବେଦନଶୀଳ ଅଞ୍ଚଳର କାର୍ୟ୍ୟକଳାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

