ଆନ୍ଦୋଳନକୁ ମାରିବା ପାଇଁ ପ୍ରଥମେ ଗୁଳି… ଏବେ ଖାଦ୍ୟ ଯୋଗାଣ ବନ୍ଦ କଲା ପାକିସ୍ତାନ ସେନା

ମୀରପୁରର ଦାହଙ୍ଗଲି ଏଣ୍ଟ୍ରି ପଏଣ୍ଟ ନିକଟରେ ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉଛି। ଗାଡ଼ିରେ ଥିବା ଫଳ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥକୁ ଜବତ କରାଯାଉଛି

ମୀରପୁର: ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରେ(ପିଓଜେକେ)ରେ ଖାଦ୍ୟ ସଙ୍କଟ ଦେଖାଦେଲାଣି। କେତେକ ସ୍ଥାନରେ ଲୋକମାନେ ଭୋକ ଓପବାସରେ ଜୀବନ ଅତିବାହିତ କରୁଛନ୍ତି। ପାକିସ୍ତାନ ସରକାର ଓ ସେନା ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ଅଭିଯୋଗ କରିଛନ୍ତି ଆନ୍ଦୋଳନ କରୁଥିବା ପିଓକେର ରାଜନୈତିକ ନେତା ଓ ଆନ୍ଦୋଳନକାରୀ।

ଆନ୍ଦୋଳନକାରୀଙ୍କ ଆରୋପ ଅନୁଯାୟୀ, ମୀରପୁରର ଦାହଙ୍ଗଲି ଏଣ୍ଟ୍ରି ପଏଣ୍ଟ ନିକଟରେ ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉଛି। ଗାଡ଼ିରେ ଥିବା ଫଳ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥକୁ ଜବତ କରାଯାଉଛି। ଗାଡ଼ିଗୁଡ଼ିକୁ ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ପାକିସ୍ତାନ ସରକାର ଓ ସେନାର କହିବା କଥା; ଖାଦ୍ୟ ଯୋଗାଣ ବନ୍ଦ ହେଲେ ଚାଲିଥିବା ଜନ ଆନ୍ଦୋଳନ ବନ୍ଦ ହେବ।

ଆନ୍ଦୋଳନ ଭଣ୍ଡୁର ପାଇଁ ଚାଲିଛି ଉଦ୍ୟମ

ପିଓଜେକେ ସ୍ଥାନୀୟ ନେତା ସୋସିଆଲ ମିଡିଆ ଓ ସାର୍ବଜନୀନ ବିବୃତିରେ ଆରୋପ ଲଗାଇଛନ୍ତି, ପାକିସ୍ତାନୀ ସୁରକ୍ଷା ବାହିନୀ ଖାଦ୍ୟ ଅବରୋଧ ଆରମ୍ଭ କରିଦେଇଛନ୍ତି। ପାକିସ୍ତାନ ସରକାର କେବଳ ଆନ୍ଦୋଳନକୁ ଦବାଇବାକୁ ଚେଷ୍ଟା କରୁନାହାଁନ୍ତି, ବରଂ ସାଧାରଣ ଲୋକଙ୍କୁ ମଧ୍ୟ ହଇରାଣ କରୁଛନ୍ତି। ନେତାମାନେ ଏହାକୁ ମାନବାଧିକାର ବିରୋଧୀ ପଦକ୍ଷେପ ବୋଲି କହି ଏହାର ନିନ୍ଦା କରିଛନ୍ତି।

ସୂଚନାରୁ ପ୍ରକାଶ; ପିଓଜେକେରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ ଓ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନକାରୀମାନେ କ୍ରମାଗତ ଭାବେ ପାକିସ୍ତାନ ସରକାରଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ଅନ୍ୟପଟେ ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖିବା କଥା କହୁଛି। କିନ୍ତୁ ଖାଦ୍ୟ ଯୋଗାଣ ବନ୍ଦ କରୁଛି। ଯାହାକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି। ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଆହୁରି ପ୍ରତିକ୍ରିୟା ସାମ୍ନାକୁ ଆସିପାରେ।

ପିଓଜେକେରେ ବିଗୁଡ଼ୁଛି ସ୍ଥିତି

ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର (ପିଓଜେକେ)ରେ ସ୍ଥିତି ବହୁତ ବିଗିଡ଼ିବାରେ ଲାଗୁଛି। ରାୱଲାକୋଟ, ବାଘ, ହଟିୟାଁ ବାଲା, କୋଟଲି, ମୀରପୁର, ସୁଧନୋତି, ଧୀରକୋଟ, ଦଡ଼ୟାଲ ଓ ମୁଜାଫରାବାଦ ସମେତ ଅନେକ ଅଞ୍ଚଳରେ ବଡ଼ ଧରଣର ପ୍ରଦର୍ଶନ ହେଉଛି। ଏହି ଆନ୍ଦୋଳନରେ ଏପର‌୍ୟ୍ୟନ୍ତ ୧.୫ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇସାରିଲେଣି।

ପ୍ରଦର୍ଶନକାରୀମାନେ ବ୍ୟାନର ଧରି କାଶ୍ମୀରର ସ୍ୱାଧୀନତା ସପକ୍ଷରେ ସ୍ଲୋଗାନ ଦେଉଛନ୍ତି। ଖବର ମିଳିଛି ଯେ ପାକିସ୍ତାନୀ ସେନା ଏବଂ ପୋଲିସର ବର୍ବର ଗୁଳିଚାଳନାରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।