ମାସୁଦ ଆଝାରକୁ ନେଇ ଦୋମୁହାଁ ନୀତି? ଧରାଇ ଦେଲେ ମିଳିବ ୭୦ ଲକ୍ଷ ପାକିସ୍ତାନୀ ଟଙ୍କା

୫୮ ବର୍ଷୀୟ ମାସୁଦ ଆଝାରଙ୍କୁ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ଆଇଏ)ର ୨୦୨୬ ‘ରେଡ୍ ବୁକ୍ ଅଫ୍ ମୋଷ୍ଟ ୱାଣ୍ଟେଡ୍ ହାଇ-ପ୍ରୋଫାଇଲ୍ ଟେରରିଷ୍ଟ୍ସ’ରେ ସାମିଲ କରିଛି

ନୂଆଦିଲ୍ଲୀ: ଆତଙ୍କବାଦୀ ପାଇଁ ଭୂ-ସ୍ୱର୍ଗ ପାଲଟିଥିବା ପାକିସ୍ତାନ। ସେଠାରେ ବଡ଼ବଡ଼ ଆତଙ୍କୀ ରହିଛନ୍ତି। ପାକିସ୍ତାନ ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଏକଥା ସମଗ୍ର ବିଶ୍ୱ ଜାଣିଛି। ଏହା ସତ୍ତ୍ୱେ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ନେଇ ନାଟକ କରୁଛି ପାକିସ୍ତାନ। ତାଙ୍କ ପାଇଁ ପୁରସ୍କାର ଘୋଷଣା କରିଛି। ତାଙ୍କୁ ଧରାଇ ଦେଲେ ୭୦ ଲକ୍ଷ ପାକିସ୍ତାନୀ ଟଙ୍କା ମିଳିବ କହୁଛି।

୫୮ ବର୍ଷୀୟ ମାସୁଦ ଆଝାରଙ୍କୁ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ଆଇଏ)ର ୨୦୨୬ ‘ରେଡ୍ ବୁକ୍ ଅଫ୍ ମୋଷ୍ଟ ୱାଣ୍ଟେଡ୍ ହାଇ-ପ୍ରୋଫାଇଲ୍ ଟେରରିଷ୍ଟ୍ସ’ରେ ସାମିଲ କରିଛି। ଅର୍ଥାତ୍ ସେ ପାକିସ୍ତାନରେ ନାହିଁ। ଆଫ୍‌ଗାନିସ୍ତାନରେ ରହିଥିବା ପାକିସ୍ତାନ ସରକାର କହୁଥିଲା। ଏବେ ସରକାର ତାଙ୍କ ବିରୋଧରେ ପୁରସ୍କାର ଘୋଷଣା କରିଛି। ତାଙ୍କ ବିଷୟରେ ସୂଚନା ଦେବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଏହି ନାଟକ କଣ ପାଇଁ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଭାରତରେ ଘଟିଥିବା ଅନେକ ବଡ଼ ବଡ଼ ଆତଙ୍କବାଦୀ ଘଟଣା ଆଝାର ସମ୍ପୃକ୍ତି ରହିଛି। ତାଙ୍କୁ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଦୀର୍ଘଦିନ ଧରି ଖୋଜୁଛନ୍ତି। ୨୦୦୧ ସଂସଦ ଆକ୍ରମଣ, ୨୦୧୬ ପଠାନକୋଟ୍ ଏୟାରବେସ୍ ଆକ୍ରମଣ ଓ ୨୦୧୯ ପୁଲୱାମା ବିସ୍ଫୋରଣ ଭଳି ଘଟଣାରେ ଜୈଶ-ଏ-ମହମ୍ମଦର ଭୂମିକାକୁ ନେଇ ଭାରତ ପକ୍ଷରୁ ଗୁରୁତର ଅଭିଯୋଗ ରହିଛି। ମାସୁଦ ଆଝାରଙ୍କୁ ଜାତିସଂଘ ମଧ୍ୟ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିଛି।

ଆସନ୍ତା ମାସରେ ପ୍ୟାରିସ୍‌ରେ ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସର ବୈଠକ ହେବାକୁ ଥିବା ବେଳେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ମନି ଲଣ୍ଡରିଂ ବିରୋଧୀ ବ୍ୟବସ୍ଥା ନେଇ ପାକିସ୍ତାନ ଉପରେ ପୁଣି ନଜର ପଡ଼ିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଆଝାର ପାକିସ୍ତାନରେ ନାହାନ୍ତି, ତେବେ ତାଙ୍କୁ ଧରିବା ପାଇଁ ପୁରସ୍କାର କାହିଁକି? ଆଉ ଯଦି ସେ ଦେଶରେ ଥିବାର ଆଶଙ୍କା ନାହିଁ, ତେବେ ତାଙ୍କ ନାଁ ‘ମୋଷ୍ଟ ୱାଣ୍ଟେଡ଼’ ତାଲିକା କାହିଁକି?