କାଙ୍ଗାଳ ପାକିସ୍ତାନକୁ ମିଳିବ ବଡ଼ ଦାୟିତ୍ୱ, ୨୦୨୭ରେ ସମ୍ଭାଳିବ IMF-ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷତା
ଆର୍ଥିକ ସଙ୍କଟ ଓ ବିଦେଶୀ ଋଣକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ୨୦୨୭ରେ IMF ଓ ବିଶ୍ୱ ବ୍ୟାଙ୍କ ଗ୍ରୁପ୍ର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ ବୋଲି ରିପୋର୍ଟରେ କୁହାଯାଇଛି।
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ, ବିଦେଶୀ ଋଣ ଓ ଆର୍ଥିକ ସହାୟତା ଉପରେ ନିର୍ଭରଶୀଳତାକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନକୁ ମିଳିବ ଏକ ବଡ଼ ଅନ୍ତର୍ଜାତୀୟ ଦାୟିତ୍ୱ। ୨୦୨୭ରେ ଦେଶ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଓ ବିଶ୍ୱ ବ୍ୟାଙ୍କ ଗ୍ରୁପ୍ର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ।
ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ୧୯୫୩ ପରେ ପ୍ରଥମ ଥର ପାଇଁ ଏହି ପଦବୀ ପାକିସ୍ତାନକୁ ମିଳିବାକୁ ଯାଉଛି। ଅନ୍ୟପଟେ, ଋଣ ସହାୟତା ପାଇଁ IMF ଉପରେ ନିର୍ଭର କରୁଥିବା ଦେଶ ପାଇଁ ଏହି ନିଯୁକ୍ତିକୁ ଏକ ବଡ଼ କୂଟନୈତିକ ଓ ଆର୍ଥିକ ଉପଲବ୍ଧି ଭାବେ ଦେଖାଯାଉଛି।
୨୦୨୭ରେ ପାକିସ୍ତାନକୁ ମିଳିବ ବଡ଼ ଦାୟିତ୍ୱ: ରିପୋର୍ଟ ଅନୁସାରେ, ବ୍ୟାଙ୍କକ୍ରେ ଆୟୋଜିତ ୨୦୨୬ର ବିଶ୍ୱ ବ୍ୟାଙ୍କ ଗ୍ରୁପ୍ (WBG) ଓ IMFର ବାର୍ଷିକ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନ ସମୟରେ ଏହି ଘୋଷଣା କରାଯାଇଥିଲା। ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ଅହଦ ଖାନ୍ ଚିମାଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେ ବିଶ୍ୱ ବ୍ୟାଙ୍କରେ ପାକିସ୍ତାନର ଗଭର୍ନର ମଧ୍ୟ ଅଛନ୍ତି।
ପାକିସ୍ତାନ ସରକାର ଏହି ନିଯୁକ୍ତିକୁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି। ଏହି ଦାୟିତ୍ୱ ମାଧ୍ୟମରେ ବିଶ୍ୱସ୍ତରୀୟ ଅର୍ଥନୀତି ଓ ବିକାଶ ସମ୍ପର୍କିତ ଆଲୋଚନାରେ ଦେଶ ନିଜର ଭୂମିକା ନିଭାଇପାରିବ। ଏହା ସହ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ାଇବାର ସୁଯୋଗ ମଧ୍ୟ ମିଳିବ।
ଋଣ ବୋଝରେ ପାକିସ୍ତାନ, IMFର ଦୁଇଟି କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ
ପାକିସ୍ତାନ ଏବେ ଆର୍ଥିକ ସହାୟତା ପାଇଁ IMFର ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଉପରେ ନିର୍ଭର କରୁଛି। ଏଥିରେ ୭ ବିଲିୟନ୍ ଡଲାରର ଏକ୍ସଟେଣ୍ଡେଡ୍ ଫଣ୍ଡ ଫାସିଲିଟି (EFF) ଏବଂ ୧.୪ ବିଲିୟନ୍ ଡଲାରର ରେଜିଲିଏନ୍ସ ଆଣ୍ଡ ସଷ୍ଟେନେବିଲିଟି ଫାସିଲିଟି (RSF) ସାମିଲ ରହିଛି।
ଏହି ଦୁଇଟି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅଲଗା ଅଲଗା। EFF ମାଧ୍ୟମରେ ପାକିସ୍ତାନର ଦେୟ ସନ୍ତୁଳନ ସମ୍ପର୍କିତ ଆବଶ୍ୟକତା ପୂରଣ କରିବା ସହ ଆର୍ଥିକ ସଂସ୍କାରରେ ସହାୟତା ଯୋଗାଇ ଦିଆଯାଏ।
ଅନ୍ୟପଟେ, RSF ଅଧୀନରେ ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ପାଇଁ ଦୀର୍ଘମିଆଦୀ ଆର୍ଥିକ ସହାୟତା ମିଳିଥାଏ।
IMFରୁ ଆଉ ୧.୨ ବିଲିୟନ୍ ଡଲାର ପାଇବ ପାକିସ୍ତାନ: ପାକିସ୍ତାନକୁ IMF ପକ୍ଷରୁ ଆଉ ୧.୨ ବିଲିୟନ୍ ଡଲାରର ଅତିରିକ୍ତ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି। ତେବେ ଏଥିପାଇଁ IMFର କାର୍ଯ୍ୟନିର୍ବାହୀ ବୋର୍ଡର ଅନୁମୋଦନ ଆବଶ୍ୟକ।
ଦୁଇଟି ଆର୍ଥିକ ସହାୟତା କାର୍ଯ୍ୟକ୍ରମର ସମୀକ୍ଷାକୁ ନେଇ IMF ଅଧିକାରୀ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ସହମତି ହେବା ପରେ ଏହି ସମ୍ଭାବ୍ୟ ସହାୟତାର ବାଟ ଖୋଲିଛି। ଯଦି ଅନୁମୋଦନ ମିଳେ, ତେବେ ଦେଶକୁ ଅତିରିକ୍ତ ଆର୍ଥିକ ସହାୟତା ମିଳିପାରିବ।
୧୯୧ ଦେଶର ୧୫ ହଜାର ପ୍ରତିନିଧିଙ୍କ ଯୋଗଦାନ: ଅକ୍ଟୋବର ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ବାର୍ଷିକ ବୈଠକରେ ୧୯୧ଟି ଦେଶର ୧୫ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏପରି ଏକ ବଡ଼ ଅନ୍ତର୍ଜାତୀୟ ମଞ୍ଚରେ ଅଧ୍ୟକ୍ଷତା ଦାୟିତ୍ୱ ପାଇବା ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଘଟଣା।
ତେବେ ଏହି ପଦବୀ ମିଳିବା ଓ ଦେଶର ଆର୍ଥିକ ସଙ୍କଟର ସମାଧାନ ହେବା ଦୁଇଟି ଭିନ୍ନ କଥା। ପାକିସ୍ତାନ ଏହି ନୂଆ ଦାୟିତ୍ୱକୁ କିପରି ବ୍ୟବହାର କରିବ ଏବଂ ନିଜ ଅର୍ଥନୀତିକୁ କେତେ ସୁଦୃଢ଼ କରିପାରିବ, ତାହା ଆଗାମୀ ସମୟରେ ଦେଖିବାକୁ ମିଳିବ।


