ଅମାପ ସମ୍ପତ୍ତି ଠୁଳ କରିଥିଲେ ଫରେଷ୍ଟର; ବାନ୍ଧିଲା ଭିଜିଲାନ୍ସ
ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର କେନ୍ଦ୍ରାପଡ଼ା ବନଖଣ୍ଡର ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କୁ ଗିରଫ କରିଛି। ଚଢ଼ଉ ସମୟରେ ତାଙ୍କ ଘରୁ ବହୁ ସମ୍ପତ୍ତି ଠାବ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଭିଜିଲାନ୍ସ ତାଙ୍କ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଏକ କାଳିନ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୭,୦୩୮ ବର୍ଗଫୁଟର ଏକ ଆଲିସାନ ଚାରି ମହଲା କୋଠା ଘର, ୬ଟି ମୂଲ୍ୟବାନ ଜମି ପ୍ଲଟ୍, ୨୮୩ ଗ୍ରାମ ସୁନା, ନଗଦ ୨.୧୪ ଲକ୍ଷ ଟଙ୍କା, ୭୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଏକ ଚାରି ଚକିଆ ଗାଡ଼ି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା।
ଜେରା ସମୟରେ ନାୟକ ଏହି ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି ସମ୍ପତ୍ତି ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନ୍ତର୍ଗତ କଟକ ଭିଜିଲାନ୍ସ ଥାନା କେସ୍ ନମ୍ବର ୨୫/୨୦୨୬ ପଞ୍ଜୀକୃତ କରାଯାଇଛି। ଘରୁ ମିଳିଥିବା ଟଙ୍କାର ଉତ୍ସ ଜାଣିବା ପାଇଁ ତଦନ୍ତକାରୀ ଦଳ ବର୍ତ୍ତମାନ ତାଙ୍କ ଦଲିଲ ଓ ସମ୍ପତ୍ତିର ଯାଞ୍ଚ କରୁଛନ୍ତି।


