fbpx

ମା’ ତାରିଣୀଙ୍କ ଆଶୀର୍ବାଦ ନେଲେ ପ୍ରମୋଦ ଭଗତ

କେନ୍ଦୁଝର (ଭାସ୍କର ନ୍ୟୁଜ୍‌): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି । ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ପ୍ରମୋଦଙ୍କ କୋଚ୍‌ ବିରଞ୍ଚି ଦାଶ ମା’ ତାରିଣୀଙ୍କ ପାଖରେ ମାନସିକ ରଖିଥିଲେ । ଆଜି ସେହି ମାନସିକ ପୂରଣ ହୋଇଥିବାରୁ ପ୍ରମୋଦ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳିତ କରିଥିଲେ । ପାରାଲିମ୍ପିକ୍ସ ସଫଳତା ପରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ପ୍ରମୋଦ ନିଜେ ଆସିବେ ବୋଲି ମନସ୍ଥ କରିଥିଲେ ।

ଶୁକ୍ରବାର ଓଡ଼ିଶାରେ ପହଞ୍ଚିବା ପରେ ପ୍ରମୋଦ ଆଜି ମାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି । ମା’ଙ୍କୁ ଦର୍ଶନ ପରେ ନିଜର ପଦକକୁ ମା’ଙ୍କ ନିକଟରେ ସମର୍ପଣ କରିଥିଲେ । ମାଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ମଧ୍ୟ ପ୍ରମୋଦଙ୍କୁ ପାଖରେ ପାଇ ପ୍ରେରିତ ହେବା ସହ ଫଟୋ ଉଠାଇବାକୁ ଭୁଲି ନ ଥିଲେ । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ଭଗତ ଇତିହାସ ରଚିଥିଲେ । ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍‌ରେ ହରାଇଥିଲେ । ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରମୋଦ ଶୁକ୍ରବାର ଓଡ଼ିଶା ଫେରିଥିଲେ । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ରାଶିର ଚେକ୍‌ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.