fbpx

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଦବ୍‌ଦବା, ପଦକ ବର୍ଷା: ଦିନକରେ ୨ ସ୍ୱର୍ଣ୍ଣ ସମେତ ୫ ମେଡାଲ୍

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ନିଜର ଦବ୍‌ଦବା ଜାରି ରଖିଛନ୍ତି । ରବିବାର ମହିଳା ଟେବୁଲ୍‌ ଟେନିସ୍‌ ଖେଳାଳୀ ଭାବିନାବେନ୍‌ ପଟେଲ୍‌ ହାଇଜମ୍ପର ନିଶାଦ କୁମାର ରୌପ୍ୟ ପଦକ ହାସଲ କରିଥିଲେ । ରବିବାର ବିନୋଦ କୁମାର ଡିସ୍‌କସ୍‌ ଥ୍ରୋ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଥିଲେ ମଧ୍ୟ କ୍ଲାସିଫିକେସନ୍‌ ରିଆସେସ୍‌ମେଣ୍ଟ ପରେ ତାଙ୍କୁ ପଦକ ହରାଇବାକୁ ପଡ଼ିଛି । କିନ୍ତୁ ସୋମବାର ପଦକ ବର୍ଷା କରିଛନ୍ତି ଭାରତୀୟ ଆଥଲେଟ୍‌ । ସୋମବାର ଗୋଟିଏ ଦିନରେ ଭାରତୀୟ ଆଥଲେଟ୍‌ମାନେ ପାରା ଅଲିମ୍ପିକ୍ସ ଇଭେଣ୍ଟରେ ୫ଟି ପଦକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଫଳରେ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ସୋମବାର ସୁଦ୍ଧା ୭କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ରହିଛି ।

ଭାରତର ପ୍ରଥମ ମହିଳା ସୁଟର ଭାବେ ଅବନୀ ଲେଖାର ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ସେ ମହିଳା ଆର୍‌-୨ ଇଭେଣ୍ଟର ୧୦ ମିଟର ଏୟାର ରାଇଫଲ୍‌ ସୁଟିଂ ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରି ନୂଆ ଇତିହାସ ରଚିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ସେ ଚୀନ୍‌ର ୨୦୧୬ ରିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜୟିନୀ ଝାଙ୍ଗଙ୍କୁ ପଛରେ ପକାଇ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଚୀନ୍‌ର ଝାଙ୍ଗ ରୌପ୍ୟ ପଦକ ପାଇଛନ୍ତି । ବିଶ୍ୱର ନଂ- ୧ ତଥା ବିଶ୍ୱ ଚାମ୍ପିଆନ୍‌ ୟୁକ୍ରେନ୍‌ ସୁଟର ଇରିୟାନା ସେଚେନିକ ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଛନ୍ତି । ପାରା ଅଲିମ୍ପିକ୍ସରେ ଭାରତ ପକ୍ଷରୁ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଅବନୀ ଚତୁର୍ଥ ଆଥଲେଟ୍‌ । ଏହାପୂର୍ବରୁ ୧୯୭୨ ପାରା ଅଲିମ୍ପିକ୍ସରେ ସନ୍ତରଣକାରୀ ମୁରଲିକାନ୍ତ ପେଟ୍‌କର୍‌, ୨୦୦୪ ଓ ୨୦୧୬ ପାରା ଅଲିମ୍ପିକ୍ସରେ ଜାଭେଲିନ୍‌ ଥ୍ରୋୟର ଦେବେନ୍ଦ୍ର ଝାଝାରିଆ ଏବଂ ୨୦୧୬ ପାରା ଅଲିମ୍ପିକ୍ସରେ ହାଇଜମ୍ପର ମେରିଆନା ଥାଙ୍ଗାଭେଲୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେହିପରି ସୋମବାର ଟୋକିଓ ପାରା ଅଲିମ୍ପିକ୍ସର ଜାଭେଲିନ୍‌ ଥ୍ରୋ ଏଫ୍‌-୬୪ ଇଭେଣ୍ଟରେ ସୁମିତ୍‌ ଅନ୍ତିମ୍‌ ୬୮.୫୫ ମିଟର ଥ୍ରୋ କରି ନିଜେ ପ୍ରତିଷ୍ଠା କରିଥିବା ବିଶ୍ୱ ରେକର୍ଡ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି । ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆର ମିଚଲ୍‌ ବୁରିଆନ୍‌ ରୌପ୍ୟ ପଦକ ହାସଲ କରିଥିବା ବେଳେ ଶ୍ରୀଲଙ୍କାର ଦୁଲମ କୋଦିଥୁୱାକୁ କାଂସ୍ୟ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଯୋଗେଶ କାଥୁନିଆ ଡିସ୍‌କସ୍‌ ଥ୍ରୋ ଇଭେଣ୍ଟରେ ଜିତିଛନ୍ତି ରୌପ୍ୟ ପଦକ । ସେ ୪୪.୩୮ ମିଟର ଡିସ୍‌କସ୍‌ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଏହି ଇଭେଣ୍ଟରେ ବ୍ରାଜିଲ୍‌ର ବିଶ୍ୱରେକର୍ଡଧାରୀ ତଥା ଚାମ୍ପିଅନ୍‌ କ୍ଲାଉଡିନେ ବାତିସ୍ତାଡୋସ୍‌ ସାଣ୍ଟୋସ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ କ୍ୱିବାର ଲିଓନାର୍ଡୋ ଜିଆଜ୍‌ ଆଲଦାନା କାଂସ୍ୟ ପଦକ ହାସଲ କରିଛନ୍ତି ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ପୁଣି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟ ରଖିଥିବା ଦେବେନ୍ଦ୍ର ଝାଝାରିଆଙ୍କୁ ଟୋକିଓ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେ ୨୦୦୪ ଏଥେନ୍ସ ଏବଂ ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାତେଇଥିବା ବେଳେ ଚଳିତ ଥର ସ୍ୱର୍ଣ୍ଣ ପଦକ ହାସଲ କରିନପାରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ସହିତ ସେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ରେକର୍ଡ ଅତିକ୍ରମ କର ୬୪.୩୫ ମିଟର ଜାଭେଲିନ୍‌ ଥ୍ରୋ କରିଛନ୍ତି । ଏହି ଇଭେଣ୍ଟରେ ଶ୍ରୀଲଙ୍କାର ଦୀନେଶ ପ୍ରିୟାନ୍‌ ହେରାଥ ମୋଦିୟାନା ସେଲାଗେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଭାରତର ସୁନ୍ଦର ସିଂ ଗୁର୍‌ଜର୍‌ କାଂସ୍ୟ ପଦକ ଜିତିଛନ୍ତି । ଗତ ରିଓ ପାରା ଅଲିମ୍ପିକ୍ସରେ ସାମାନ୍ୟ ତ୍ରୁଟି ଯୋଗୁଁ ଏହି ଇଭେଣ୍ଟରେ ପ୍ରତିଦ୍ୱନ୍ଦିତା କରିବାରୁ ସେ ବଞ୍ଚିତ ହୋଇଥିବା ବେଳେ ଟୋକିଓ ପାରା ଅଲିମ୍ପିକ୍ସରେ ଭାଗ ନେବା ସହ ଦେଶ ପାଇଁ କାଂସ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।

ତେବେ ଏହି କ୍ରୀଡ଼ାବିତ୍‌ମାନେ ପଦକ ହାସଲ କରିବା ପରେ ସେମାନଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‌, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ଆଥଲେଟ୍‌ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଭବିଷ୍ୟତ ପାଇଁ ସଫଳତା କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ପାରା ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

Get real time updates directly on you device, subscribe now.