IPL 2027 ଖେଳିବେନି କି କମିନ୍ସ ! ଫ୍ରାଞ୍ଚାଇଜ୍ କ୍ରିକେଟ୍ ନୁହେଁ, ଦେଶ ସେବାକୁ ଦେବେ ପ୍ରାଥମିକତା

ପ୍ୟାଟ୍ କମିନ୍ସ ଆଇପିଏଲ୍ (IPL) ୨୦୨୬ର ଦ୍ୱିତୀୟାର୍ଦ୍ଧରେ ଖେଳି ସନରାଇଜର୍ସ ହାଇଦ୍ରାବାଦ ଦଳକୁ ପ୍ଲେ-ଅଫ୍‌ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ। ତେବେ, ଆଗାମୀ ଦିନରେ ଅଷ୍ଟ୍ରେଲିଆ ପାଇଁ ଥିବା କଠିନ ଟେଷ୍ଟ ସିଜିନ୍ ଏବଂ ଦିନିକିଆ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି, କମିନ୍ସ ଆଗାମୀ ଆଇପିଏଲ୍‌ରୁ ବାଦ୍ ପଡ଼ିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

ନୂଆଦିଲ୍ଲୀ : ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ ୨୦୨୭ ଆଇପିଏଲ୍ (IPL)ରୁ ବାଦ୍ ପଡ଼ିପାରନ୍ତି। ଅଷ୍ଟ୍ରେଲିଆ ପାଇଁ ଆଗକୁ ଥିବା ଅତ୍ୟନ୍ତ କଠିନ କ୍ରିକେଟ୍ ସିଜିନ୍କୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ୨୦୨୬ରୁ ଆସନ୍ତା ୧୧ ମାସ ମଧ୍ୟରେ ଅଷ୍ଟ୍ରେଲିଆକୁ ୨୧ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିବ। ଏହାଛଡ଼ା ଦିନିକିଆ ବିଶ୍ୱକପ୍, ଇଂଲଣ୍ଡ ବିପକ୍ଷ ୧୫୦ତମ ବାର୍ଷିକୀ ଟେଷ୍ଟ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ରହିଥିବାରୁ, କମିନ୍ସ ନିଜ ଦେଶ ପାଇଁ ଖେଳିବାକୁ ପ୍ରାଥମିକତା ଦେଉଛନ୍ତି।

ଆଇପିଏଲ୍ ୨୦୨୬ ଶେଷ ହେବା ପରେ କମିନ୍ସ ଏବେ ନିଜ ଦେଶକୁ ଫେରିଛନ୍ତି। ଆସନ୍ତା ଅଗଷ୍ଟ ମାସରେ ବାଂଲାଦେଶ ବିପକ୍ଷ ହୋମ୍ ସିରିଜରୁ ତାଙ୍କର ଟେଷ୍ଟ ସିଜିନ୍ ଆରମ୍ଭ ହେବ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଏବଂ ଭାରତ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବେ ଅଷ୍ଟ୍ରେଲିଆ। ଏହାଛଡ଼ା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଏବଂ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତରେ ଆଶେସ୍ ସିରିଜ୍ ମଧ୍ୟ ରହିଛି।

ଏ ସମ୍ପର୍କରେ କମିନ୍ସ କହିଛନ୍ତି ଯେ, ଆସନ୍ତା ବର୍ଷ କିଛି ବଡ଼ ପ୍ରତିଯୋଗିତା ରହିଥିବାରୁ ତାଙ୍କୁ କୌଣସି ଗୋଟିଏ ସିରିଜ୍ ଛାଡ଼ିବାକୁ ପଡ଼ିପାରେ, କିନ୍ତୁ ସେ ଟେଷ୍ଟ ମ୍ୟାଚ୍ କିମ୍ବା ଦିନିକିଆ ବିଶ୍ୱକପକୁ କଦାପି ହାତଛଡ଼ା କରିବେ ନାହିଁ। ସେ ଆହୁରି କହିଛନ୍ତି ଯେ, ସେ ସମୟ ଆସିଲେ ଏ ବିଷୟରେ ନିଷ୍ପତ୍ତି ନେବେ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସହ ଆଲୋଚନା କରିବେ। କିନ୍ତୁ ଆଘାତ ସମସ୍ୟା ଓ ଅନ୍ୟାନ୍ୟ କାରଣରୁ ଏବେଠାରୁ କିଛି ବି ନିଶ୍ଚିତ କରିବାକୁ ସେ ଚାହୁଁନାହାନ୍ତି।

ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ କହିଛନ୍ତି ଯେ, ଯଦି ସେ ଜାନୁଆରୀ ଓ ଫେବୃଆରୀ ମାସରେ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳନ୍ତି, ତେବେ ତାଙ୍କୁ ବିଶ୍ରାମର ନିହାତି ଆବଶ୍ୟକତା ପଡ଼ିବ। ସେ କହିଛନ୍ତି, “ମୋ ପାଇଁ ଟେଷ୍ଟ ମ୍ୟାଚ୍ ଏବଂ ଦିନିକିଆ ବିଶ୍ୱକପ୍ ସବୁବେଳେ ପ୍ରାଥମିକତା। ଯଦି ମୁଁ ଭାରତ ବିପକ୍ଷ ସମ୍ପୂର୍ଣ୍ଣ ସିରିଜ୍ ଖେଳେ, ତେବେ ଆଗକୁ ଥିବା କଠିନ ଆଶେସ୍ ସିରିଜ୍ ପୂର୍ବରୁ ମୋତେ ନିଶ୍ଚିତ ଭାବେ କିଛି ଦିନର ବିଶ୍ରାମ ନେବାକୁ ପଡ଼ିବ।”

ଏହାଛଡ଼ା, ଚଳିତ ବର୍ଷ ଶେଷରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜ୍‌ରେ ଜୋଶ ହେଜଲଉଡ୍ ଏବଂ ମିଚେଲ ଷ୍ଟାର୍କଙ୍କ ଭଳି ବୋଲରଙ୍କ କାର୍ଯ୍ୟଭାରକୁ ମଧ୍ୟ ସୁଚିନ୍ତିତ ଭାବେ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କମିନ୍ସ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ସେମାନେ ଏଭଳି ସ୍ଥିତିକୁ ବୁଝିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, “ଆମେ ଭାରତ ଗସ୍ତର ଶେଷ ଆଡ଼କୁ କିଛି ବୋଲରଙ୍କୁ ବିଶ୍ରାମ ଦେଇପାରୁ, ଯାହାଫଳରେ ସେମାନେ ଆଶେସ୍ ସିରିଜ୍ ପୂର୍ବରୁ ସମ୍ପୂର୍ଣ୍ଣ ସତେଜ ରହିପାରିବେ।”