ବାହା ହେବ ବୋଲି ଜିଦ୍ ଧରିବାରୁ ପ୍ରେମିକାକୁ ମାରି ଡ୍ରମ୍ରେ ପୂରାଇ ଦେଇଥିଲା ପ୍ରେମିକ
ପଟିଆଲା ଅଞ୍ଚଳର ନେହାଙ୍କୁ ବିରାଟ କଶ୍ୟପ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ନେହା ମଧ୍ୟ ତାଙ୍କୁ ମନ ଦେଇଥିଲେ। ବିବାହ ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ। ଯେଉଁଥିପାଇଁ ବିରାଟଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲେ ନେହା
ପଟିଆଲା: ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ହେଲେ ବାହା ହେବା ପାଇଁ ଜିଦ୍ ଧରିବାରୁ ପ୍ରେମିକାର ତଣ୍ଟିଚିପି ମାରିଦେଲା ପ୍ରେମିକ। ଏପରି ନୃଶଂସ ଓ ଭୟଙ୍କର ଘଟଣା ପଞ୍ଜାବରେ ଘଟିଛି। ପଟିଆଲା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପଟିଆଲା ଅଞ୍ଚଳର ନେହାଙ୍କୁ ବିରାଟ କଶ୍ୟପ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ନେହା ମଧ୍ୟ ତାଙ୍କୁ ମନ ଦେଇଥିଲେ। ବିବାହ ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ। ଯେଉଁଥିପାଇଁ ବିରାଟଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲେ ନେହା। ଏହାର ସୁଯୋଗ ନେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଏହାରି ଭିତରେ ନେହା ବିବାହ କରିବା ପାଇଁ ଜିଦ୍ ଧରିଥିଲେ। ଯେଉଁଥିପାଇଁ ଅଡୁଆରେ ପଡ଼ିଯାଇଥିଲେ ବିରାଟ କଶ୍ୟପ।
ବିବାହ ପାଇଁ ବିରାଟ୍ ମନା କରିପାରୁନଥିଲେ। ଶେଷରେ ଚରମ ନିଷ୍ପତ୍ତି ନେଲେ ବିରାଟ। ବାହାନା କରି ନେହାଙ୍କୁ ଡାକିଥିଲେ। ନେହା ଆସିବା ପରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ତା’ପରେ ମୃତଦେହକୁ ଏକ ପ୍ଲାଷ୍ଟିକ୍ ଡ୍ରମରେ ପୂରାଇ ଦେଲେ। ସେହି ଡ୍ରମକୁ ନେଇ ପଟିଆଲା ଡିସିଡିଡବ୍ଲ୍ୟୁ ବ୍ରିଜ୍ ପାଖରେ ରଖି ପଳାଇ ଆସିଥିଲେ।
ଗତ ୨୬ ତାରିଖ ସକାଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାଟି ସମ୍ବେଦନଶୀଳ ଥିବାରୁ ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏଥିସହ ଆଖପାଖ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିଥିଲା। ସେହି ସମୟରେ ଅଭିଯୁକ୍ତର ଠିକଣା ମିଳିଥିଲା। ତା’ପରେ ପୋଲିସ ଅଭିଯୁକ୍ତ ବିରାଟ କଶ୍ୟପଙ୍କ ପାଖରେ ପହଞ୍ଚିଥିଲା। ପଚରା ଉଚରା ବେଳେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହା ପରେ ପୋଲିସ ତାକୁୁ ଗିରଫ କରି କୋର୍ଟ ଚାଲାଣ କରିଛି।

