SCBରେ ରୋଗୀକୁ ପିଟିପିଟି ହତ୍ୟା ଘଟଣା! ୨ କର୍ମଚାରୀ ଗିରଫ
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମାନସିକ ରୋଗୀଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗରେ କମିଶନରେଟ୍ ପୁଲିସ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି।
କଟକ: କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମାନସିକ ରୋଗୀଙ୍କୁ ମାଡ଼ ମାରି ହତ୍ୟା କରିବା ଅଭିଯୋଗରେ କମିଶନରେଟ୍ ପୁଲିସ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସେପ୍ଟେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିବା ନେଇ ରବିବାର କଟକ ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି।
ଡିସିପିଙ୍କ ସୂଚନା ଅନୁସାରେ, ଏସ୍ସିବି ମେଡିକାଲର ଜଣେ ଆଟେଣ୍ଡାଣ୍ଟ ଓ ଜଣେ ସୁରକ୍ଷାକର୍ମୀଙ୍କୁ ଶନିବାର ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଜଗନ୍ନାଥ ରାଓ ଓ ଦିଲୀପ ପ୍ରଧାନ।
ହସ୍ପିଟାଲର ସିସିଟିଭି କ୍ୟାମେରାର ଫୁଟେଜ୍ ଓ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ଶ୍ରୀକାନ୍ତ ଦାସ ଏସ୍ସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ମଙ୍ଗଳାବାଗ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।


